• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକରେ କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତାର ଅନ୍ତ ନାହିଁ । ରହିବା ପାଇଁ ଆଶ୍ରା ଟିକେ ନପାଇ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ । ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି । ହେଲେ ବିଡ଼ମ୍ବନା ସବୁ ଦେଖି ଯେମିତି ଚାହିଁ ଜଳକା ସାଜିଛି ଆମ ବ୍ୟବସ୍ଥା । ରୋଗୀଙ୍କ ଅସହାୟତା ପ୍ରତି ନା କର୍ତ୍ତୃପକ୍ଷଙ୍କ ଦକ ଅଛି, ନା ସରକାରଙ୍କର । ଗତକାଲି ଖବର ପ୍ରସାରଣ ପରେ ଆଜି ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଏକ ଟିମ୍ ଘଟଣାସ୍ଥଳ ଆସି ବୁଲି ଦେଖିଥିଲେ ବି, ହସ୍ପିଟାଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ନପାରି ଉଦବେଗ ପ୍ରକାଶ କରିଛନ୍ତି ।

ଡହଡହ ଖରା, ଗଛମୂଳ । ହସ୍ପିଟାଲ୍ ଆଗରେ ସହି ହେଉ ନଥିବା ଯନ୍ତ୍ରଣା । କାହା ନାକରେ ନଳି ଲାଗିଛି, କାହାଠି କ୍ୟାଥେଡ୍ରାଲ୍ । ଚିତ୍ର ଗତକାଲି ଯାହା ଥିଲା । ଆଜି ବି ତାହା, କିଛି ବଦଳିଲାନି । କ୍ୟାନସୀର ରୋଗକୁ ଦେହରେ ବୋହି ବଡ଼ ସହର, ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥିବା ରୋଗିଣା ମଣିଷମାନଙ୍କ ବିକଳ ମୁହଁକୁ ଓଟିଭି ଜରିଆରେ ଦୁନିଆ ଦେଖୁଛି । ହେଲେ ନା ସରକାରଙ୍କ ଆଖିକୁ ଦିଶିଛୁ, ନା କାନକୁ ଶୁଭୁଛି ।

ଚିକିତ୍ସା ପାଇଁ ଆସି କିଏ ଚାରି ଦିନ ତ କିଏ କିଏ ୧୦ ଦିନ ଧରି ଖରାତରାରେ ପଡ଼ିଛନ୍ତି । ଗତକାଲିର ଖବର ପ୍ରସାରଣ ପରେ ଆଜି କେବଳ ଏତିକି ହେଇଛି, କିଛି ଅତି ଗୁରୁତର ରୋଗୀଙ୍କୁ ହସ୍ପିଟାଲ୍ ପରିସରକୁ ନିଆଯାଇଛି । ଅପରପକ୍ଷେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦୁଇ ଜଣିଆ ଟିମ୍ ଆସି ରୋଗୀଙ୍କ ଦୁର୍ଦ୍ଦଶା ଦେଖିଛନ୍ତି, ସ୍ଥିତି ଦେଖି ସେମାନେ ବି ହତବାକ୍ ହୋଇଛନ୍ତି । କିନ୍ତୁ ରୋଗୀଙ୍କ ଦୁର୍ଦ୍ଦଶା ନେଇ କଥା ହେବାକୁ ଚାହିଁ ବି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କ ଦେଖା ପାଇ ନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି ।

 

ଏଠି ପ୍ରଶ୍ନ ଉଠୁଛି, ବିଶ୍ୱସ୍ତରୀୟ ବିଶ୍ୱସ୍ତରୀୟ ଢୋଲପିଟା ଭିତରେ ସରକାରୀ କଳର ଇଏ କି ବଧିରପଣ ? ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନସର ହସ୍ପିଟାଲକୁ ମାଗଣାରେ ଚିକିତ୍ସା ପାଇଁ ଧାଇଁ ଆସୁଥିବା ଅସହାୟ ମାନଙ୍କ ଜୀବନର ମୂଲ୍ୟ ଅଛି ତ ? କୁଆଡ଼େ ଗଲେ ପ୍ରଶାସନିକ ଅଧିକାରୀ? କୁଆଡ଼େ ଗଲେ ନେତା? କୁଆଡ଼େ ଗଲା ଅଂଶୁଘାତ ସତର୍କତା ? ପ୍ରତିଯୋଗିତା କଲାଭିଳି ଅଟ୍ଟାଳିକା ପରେ ଅଟ୍ଟାଳିକା ତ ଠିଆ ହେଉଛି । ରୋଗୀ ଓ ସଂପର୍କୀୟଙ୍କ ମୁଣ୍ଡ ଉପରେ ଛାତ ନହେଲା ନା ଛାମୁଡିଆଟେ ବି ହୋଇପାରୁନି କେମିତି?

ଦେବାଶିଷ ମହାନ୍ତି