/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688977164.jpg)
Physical academy
ସକାଳ ହେବା ମାତ୍ରେ ପଡିଆରେ ଜମୁଛି ଭିଡ । କିଏ ବ୍ୟାୟାମ କରୁଛି ତ ଆଉ କିଏ ଦୌଡୁଛି । ପୁଣି ଆଉ କିଏ ଦଣ୍ଡବୈଠକ ମାରୁଛି । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଯିଏ ନାହିଁ ସିଏ କହିବ ସେମାନେ ନିଶ୍ଚୟ ସେନା କିମ୍ବା ପୋଲିସରେ ଯୋଗ ଦେବେ । ହଁ...ଠିକ୍ ଅନୁମାନ କରୁଛନ୍ତି ଆପଣ । ସେମାନେ ସମସ୍ତେ ସେନା ଓ ପୋଲିସ ବିଭାଗରେ ସାମିଲ ହେବା ଲାଗି କରୁଛନ୍ତି କସରତ ।
ପ୍ରତିଦିନ ସକାଳୁ ଚାଲିଛି ପ୍ରଶିକ୍ଷଣ । କିଏ ଦୌଡୁଛି ତ ଆଉ କିଏ ବ୍ୟାୟାମ କରି ସୁନ୍ଦର ଶରୀର ଗଢିବାରେ ବ୍ୟସ୍ତ ଅଛି । ବରଗଡ଼ ପଞ୍ଚାୟତ କଲେଜ ପଡିଆର ଦୃଶ୍ୟ ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି । ‘ୟେ ଦୋସ୍ତି କଭି ନେହି ତୋଡେଙ୍ଗେ' ଗ୍ରୁପରୁ ଆରମ୍ଭ ହୋଇଥିବା ବରଗଡ଼ ଫିଜିକାଲ ଏକାଡେମୀରେ ଏବେ ଶହଶହ ଯୁବକ ଓ ଯୁବତୀ ନେଉଛନ୍ତି ଟ୍ରେନିଂ ।
ଜାଣି ଆଶ୍ଚର୍ଯ୍ୟ ହେବେ କି, ମାତ୍ର ଦେଢ ବର୍ଷ ମଧ୍ୟରେ ଏହି ଏକାଡେମୀ ଗୋଟିଏ ପରେ ଗୋଟିଏ ସଫଳତାର ପାହାଡ ଚଢ଼ି ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ବିଶେଷ ଭାବରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ଏହି ଶିବିରରେ ପ୍ରଶିକ୍ଷଣ ନେଉଥିବା ବେଳେ ସେମାନଙ୍କୁ ଆଗାମୀ ଦିନରେ ସେନା ଓ ପୋଲିସ ବାହିନୀରେ ସାମିଲ କରାଇବାକୁ ଲକ୍ଷ୍ୟ ରଖିଛି ଏକାଡେମୀ ।
କେମିତି ଯୁବକମାନେ ଶାରୀରିକ ସ୍ତରରେ ପୂରା ଫିଟ୍ ରହିବେ ସେନେଇ କରାଯାଉଛି ଉଦ୍ୟମ । ପ୍ରଶିକ୍ଷାର୍ଥୀଙ୍କୁ କେବଳ ଶାରିରୀକ ସ୍ତରରେ ଫିଟ୍ ରଖାଯାଉଛି ତାହା ନୁହେଁ ବରଂ ଲିଖିତ ତଥା ମୌଖିକ ପରୀକ୍ଷା ସଂପର୍କରେ ମଧ୍ୟ ଦିଆଯାଉଛି ତାଲିମ୍ । ତେଣୁ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢୁଛନ୍ତି ଏଠାରେ ତାଲିମ୍ ନେଉଥିବା ପ୍ରଶିକ୍ଷାର୍ଥୀ ।ଏକାଡେମୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏକାଡେମୀରେ ଜିଲ୍ଲା ତଥା ଜିଲ୍ଲା ବାହାରର ୮୦ ଜଣ ଯୁବକଯୁବତୀ ପ୍ରଶିକ୍ଷଣ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଏସଏସସିରେ ୭ ଜଣ ଯୁବତୀଙ୍କ ସହ ୨୫ ଜଣ ଯୁବକ କୃତକାର୍ଯ୍ୟ ହୋଇଛନ୍ତି । ଆଗାମୀ ଦିନରେ ସେମାନେ ଆସାମ ରାଇଫଲ, ବିଏସଏଫ, ସିଆଇଏସଏଫ, ଆଇଟିବିପି ଏସଏସବି, ସିଆରପିଏଫ, ଏନଆଇଏରେ ଯୋଗଦେବେ ବୋଲି ଜଣାପଡିଛି । ଖାଲି ଏତିକି ନୁହେଁ ବରଂ ଏହି ଏକାଡେମୀରେ ଟ୍ରେନିଂ ନେଉଥିବା ପିଲାଙ୍କ ମଧ୍ୟରୁ ୬ ଜଣ ପ୍ରଶିକ୍ଷାର୍ଥୀ ବରଗଡ଼ ଏବଂ ସମ୍ବଲପୁର ପୁଲିସ ପାଇଁ ମନୋନୀତ ହୋଇଥିବା ବେଳେ ସହ ଅଗ୍ନିବୀର ପାଇଁ ୮ ଜଣ ଯୁବକ-ଯୁବତୀ ଚୟନ ହୋଇଥିବା ଜଣାପଡିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାଗଣାରେ ଏହି ଏକାଡେମୀରେ ତାଲିମ୍ ଦିଆଯାଉଥିବା କାରଣରୁ ଶହଶହ ପିଲା ଏଠାରେ ତାଲିମ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)