• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭିନ୍ନ ତରିକାରେ ଯୁବତୀଙ୍କ ପ୍ରତିବାଦ । ରାଜରାସ୍ତାରେ ଆଳୁ ବିକିଲେ ଉଚ୍ଚଶିକ୍ଷିତା ଯୁବତୀ । କିଲେ କି ବସ୍ତେ ନୁହେଁ ଗୋଟାକୁ ଦେଉଛନ୍ତି ଏକ ଟଙ୍କା । କ’ଣ ଏସବୁ ଜଣି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି ନା ? ନିଶ୍ଚୟ ଭାବୁଥିବେ ଏମିତି କାହିଁକି କରୁଛନ୍ତି ଯୁବତୀ ଜଣକ । 

ଯୁବତୀଙ୍କ ନାଁ ହେଉଛି ଅର୍ଚ୍ଚନା କାନୁନଗୋ । ତାଙ୍କ ନିକଟରେ ରହିଛି PG, MPHIL, PHD ଏବଂ ଡିଗ୍ରୀ । ହେଲେ ଏଯାଏଁ ମିଳିନି ଖଣ୍ଡିଏ ଚାକିରି । ଆଉ ସେଥିପାଇଁ ଭିନ୍ନ ତରିକାରେ ପ୍ରତିବାଦ ଜଣାଇ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି । ଖାଲି ସେତିକି ନୁହେଁ, ଅନେକ ଶିକ୍ଷାନୁଷ୍ଠାନରେ ପ୍ରିନ୍ସିପାଲ ଏବଂ ଭିଜିଟିଂ ପ୍ରଫେସର ଭାବେ ସେ ଶିକ୍ଷାଦାନ କରିଛନ୍ତି । ହାଇକୋର୍ଟ ମଧ୍ୟ ତାଙ୍କର ଯୋଗ୍ୟତା ଥିବା କହି ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଯାଏଁ ତାଙ୍କୁ ଚାକିରି ଖଣ୍ଡିଏ ମିଳୁନାହିଁ । 


ଜାତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଅନେକ ମେଡାଲ ଜିଣିଛନ୍ତି ଅର୍ଚ୍ଚନା । ହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସୁବିଧା ସୁଯୋଗ ନମିଳିବାରୁ ଆଜି ସେ ରାଜଧାନୀର ରାଜରାସ୍ତାରେ ବସି ପ୍ରତିବାଦ ଜଣାଉଛନ୍ତି । ହାତରେ ଧରିଛନ୍ତି ପୁଳା ପୁଳା ସର୍ଟିଫିକେଟ୍‌ ଆଉ ପାଖରେ କିଛି ଆଳୁ ରଖି ପ୍ରତିବାଦ କରୁଛନ୍ତି । 

ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ତାଙ୍କୁ ଚାକିରି ଦିଆଯାଉ ନ ଥିବା ଅଭିଯୋଗରେ ରାଜ୍ୟ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ପକ୍ଷରୁ ପୂର୍ବରୁ ଦର୍ଶାଯାଇଥିଲା, ଓପିଏସସି ଯେଉଁ ୧୨ ଜଣ ପ୍ରାର୍ଥୀଙ୍କ ନାଁ ସୋସିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଲାଗି ସୁପାରିଶ କରିଥିଲେ ସେଥିରେ ଅର୍ଚ୍ଚନାଙ୍କ ନାଁ ନ ଥିଲା । କମ୍ ମାର୍କ ଯୋଗୁଁ ସେ ମେରିଟ୍ ତାଲିକାରେ ସ୍ଥାନ ପାଇ ପାରି ନ ଥିଲେ।

ସେହିପରି ଆବଶ୍ୟକ ଯୋଗ୍ୟତା ନ ଥିବାରୁ କାନୁନଗୋ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମନୋନୀତ ହୋଇ ନ ଥିବାରୁ ତାଙ୍କ ଆବେଦନ ହାଇକୋର୍ଟ ପୂର୍ବରୁ ଖାରଜ କରିଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ଆଦେଶରେ ଦର୍ଶାଯାଇଥିଲା । ତେବେ ଅର୍ଚ୍ଚନା ବିଭାଗୀୟ ପ୍ରମୁଖ ସଚିବ ଓ ଅତିରିକ୍ତ ସଚିବଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଥିଲେ, ସେ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହାସହ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଯାହା ଅର୍ଚ୍ଚନା ଲଗାଇଥିଲେ ସେ ନେଇ ତତ୍କାଳୀନ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଫୋନ୍ ଯୋଗେଁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

 

  • Reported by:
  • NIRANJAN REDDY