• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଣେ ପଞ୍ଚାୟତ ଅଫିସରେ ଚୌକି ଫାଙ୍କା । ତେଣେ ଦୁର୍ବାର ଆନ୍ଦୋଳନରେ ପିଇଓ । ଠପ୍ ହୋଇଛି ତୃଣମୂଳ ସ୍ତରରେ ବିକାଶ । କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜିକୁ ୧୨ଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଜିଲ୍ଲାର ସମସ୍ତ ପଞ୍ଚାୟତ ଅଫିସ୍‌ରେ ନିଯୁକ୍ତ ପିଇଓ ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଏ ଧାରଣା ଦୁଇ ଦଫା ଦାବିକୁ ନେଇ- ପ୍ରଥମରେ ପିଇଓଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ କରିବା ଓ ସେମାନଙ୍କୁ ଲେବେଲ୍-ପାଞ୍ଚ ବଦଳରେ ୯ ଭାବେ ଗଣତି କରି ଦରମା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ । ତା’ସହ ପ୍ରମୋସନ ଦିଆଯାଇ ଜିପିଡିଓ ଭାବେ ଗଣତି କରିବା । ସମାନ ଚିତ୍ର ରାୟଗଡ଼ାରେ । ଅସହଯୋଗ ଆନ୍ଦୋଳନରେ ବସିଛନ୍ତି ଜିଲ୍ଲାର ସବୁ ପିଇଓ । ଦାବି ପୂରଣ ନହେଲା ଯାଏଁ ଧାରଣାରୁ ଉଠିବାର ପ୍ରଶ୍ନ ଉଠୁନି ବୋଲି ସଫା ସଫା କହିଛନ୍ତି ଆନ୍ଦୋଳନକାରୀ ।

ଏପଟେ ପିଇଓ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟର ସବୁ ପଞ୍ଚାୟତରେ ସମ୍ପୂର୍ଣ୍ଣ ଠପ୍ ହୋଇଛି ଉନ୍ନୟନମୂଳକ କାମ ଓ ବିଭିନ୍ନ ସରକାରୀ ଯୋଜନାର ରୂପାୟନ । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଉଥିବା ହିତାଧିକାରୀ । ସେମିତି ପିଏମ୍ ଆବାସ ଯୋଜନାର ଦ୍ୱିତୀୟ କିସ୍ତି ବି ବଣ୍ଟାଯାଇ ପାରୁନି । 

ଭତ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ପଞ୍ଚାୟତର ଲୋକେ । ଭତ୍ତା ପାଇଁ ଖାତା ଧରି ଆସିଛନ୍ତି, ହେଲେ ପଞ୍ଚାୟତ ଅଫିସରେ କେହି ନାହାନ୍ତି । ୧୧ଦିନ ହେଲାଣି ନିଇତି ଦିନ ତମାମ ବସି ବସି ଘରକୁ ଫେରୁଛନ୍ତି । ସେମିତି ବାଲେଶ୍ୱର ଜିଲ୍ଲା ନହରା ପଞ୍ଚାୟତ ଅଫିସ୍‌କୁ ଭତ୍ତା କାମରେ ଆସି ନିରାଶ ହୋଇ ଫେରିଛନ୍ତି ମନ୍ଦାରୁଣି ଗାଁର ବରେନ୍ଦ୍ର ଦାସ । ଆବେଦନ ଫର୍ମରେ କେବଳ ପିଇଓଙ୍କ ଦସ୍ତଖତ ବାଜିଗଲେ ତାଙ୍କ ଜେଜେମା ଭତ୍ତା ଗଣ୍ଡେ ପାଇବେ, ହେଲେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫେରିବାକୁ ପଡୁଛି ।

ପଂଚାୟତ କାର୍ଯ୍ୟ ନିର୍ବାଧୀ ଅଧିକାରୀମାନେ ନିଜ ଦାବି ହାସଲ ପାଇଁ ସାରା ରାଜ୍ୟରେ ଅଗଷ୍ଟ ୭ରୁ ୧୭ ଯାଏଁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିଲେ । ତା’ପରେ ୧୮ରୁ ସବୁ ଜିଲ୍ଲା ସଦର ମହକୁମାରେ କଲମଛାଡ ଓ ୨୩ରୁ ରାଜଧାନୀରେ ବି ବିକ୍ଷୋଭ କରୁଛନ୍ତି । ସେମାନଙ୍କ ଅଭିଯୋଗ ରାଜ୍ୟର ୬୭୯୪ ପଂଚାୟତରୁ ପ୍ରାୟ ୨୬ଶହରୁ ଅଧିକ ସ୍ଥାନରେ ପିଇଓ ପଦବୀ ଖାଲି ପଡିଛି । କେଉଁଠି ଜଣେ ପିଇଓ ଦୁଇଟି ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ଏସବୁର ସମାଧାନ କରିବା ପରିବର୍ତ୍ତେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।

  • Reported by:
  • T GOURISHANKAR , Ajit Das , Maudi Barik