• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନାହିଁନାହିଁରେ ଚାଲିଛି ଡେଲି ମାର୍କେଟ୍‌ । ରାତି ପାହିଲେ ପରିବାଠାରୁ ଆରମ୍ଭ କରି ଅନେକ ସାମଗ୍ରୀ କିଣିବାକୁ ଏଠାକୁ ଆସନ୍ତି ଲୋକେ । ହେଲେ ନାନା ସମସ୍ୟା ଭିତରେ ଏବେ ଛନ୍ଦି ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ନୟାଗଡ ଦଶପଲ୍ଲା ସହରର ଦୁର୍ଗାବଜାରଠାରେ ଥିବା ହାଟର ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ପାଖାପାଖି ୨୦ଟି ପଞ୍ଚାୟତ ଏବଂ ଦଶପଲ୍ଲା NAC ର ହଜାରହଜାର ଲୋକ ପ୍ରତିଦିନ ସତେଜ ପନିପରିବା ନେବା ଲାଗି ଧାଇଁ ଆସନ୍ତି ନାରାୟଣ ଗଞ୍ଜ ପରିବା ହାଟକୁ । ଖାଲି ଲୋକମାନେ ଆସନ୍ତି ତାହା ନୁହେଁ ବରଂ ଚାଷୀ ଓ ବ୍ୟବସାୟୀମାନେ ଆସନ୍ତି ବିକ୍ରିବଟା କରିବା ଲାଗି । ବେପାର କରୁଥିବାରୁ ପ୍ରତିଦିନ ଏନଏସିକୁ ଟିକସ ବି ଦିଅନ୍ତି । ହେଲେ ହାଟର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ ଏଇଠି ବିକାଶ କେତେ ହୋଇଛି?

ସ୍ଥିତି ଏମିତି ହେଲାଣି ଯେ ହାଟକୁ ଆସୁଥିବା ଲୋକ ବାଇକ୍‌ ରଖିବାକୁ ଜାଗା ପାଉନାହାନ୍ତି । କେବଳ ପାର୍କିଂ ସମସ୍ୟା ରହିଛି ତାହା ନୁହେଁ ବରଂ ଏତେ ବଡ଼ ହାଟ ଭିତରେ କୌଣସି ଜାଗାରେ ଶୌଚାଳୟଟିଏ ନାହିଁ । ଆଉ ଯେଉଁଟା ତିଆରି ହୋଇଛି ତାହା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ଅସହ୍ୟ ଖରାରେ ସମସ୍ତେ ଜଳୁଛନ୍ତି, ହେଲେ ପିଇବା ପାଇଁ ପାଣି ଟୋପାଏ ବି ପାଉନାହାନ୍ତି । ଏ ସବୁ ସମସ୍ୟାର ସମାଧାନ ଲାଗି ଏନଏସି ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ।

ବାରମ୍ବାର ଅଭିଯୋଗ ପରେ ଏନଏସି ନିର୍ବାହୀ ଅଧିକାରୀ କହୁଛନ୍ତି, ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଅଛି । ଆଗାମୀ କାଉନସେଲିଂ ମିଟିଂରେ ଏସବୁ ସମସ୍ୟାର ସମାଧାନ ଉପରେ ଆଲୋଚନା ହେବା ସହିତ ଖୁବଶୀଘ୍ର ସମାଧାନ କରାଯିବ ।

 

  • Reported by:
  • Sanjeeb Sahoo