• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସରକାର ଶୁଣିଲେନି, ପ୍ରଶାସନ ଉଦାସୀନ ରହିଲା । ଠିକାଦାର, ଯନ୍ତ୍ରୀ କଥା ନ କହିବା ଭଲ । ତେଣୁ ଗ୍ରାମବାସୀ ହିଁ ନିଜ ପାଇଁ ନିଜ ବ୍ୟବସ୍ଥା କରିନେଲେ । ସରକାରୀ ବିଧିବ୍ୟବସ୍ଥାର ପୋଲ୍ ଖୋଲିବା ପାଇଁ ଯଥେଷ୍ଟ । ସରକାରୀ କଳର ଉଦାସୀନତା ପାଇଁ ଏବେ ଜନତାଙ୍କ ସରକାର କେବଳ ଯନ୍ତ୍ରଣା ସହିବା ସାର ହେଉଛି । ସରକାର ନ ଶୁଣିବାରୁ ବାଧ୍ୟ ହୋଇ ଏମିତି କାଠ ପୋଲ କରି ଯା ଆସ କରି ଦୈନନ୍ଦିନ ଜୀବନ ଅତିବାହିତ କରୁଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବନ୍ଧୁମୁଣ୍ଡା ଗାଁ ଏବଂ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ରାଧାକୃଷ୍ଣପୁର ପଞ୍ଚାୟତର ଲୋକେ ।

ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା । ନୟାଗଡ଼ ରଣପୁର ବ୍ଲକ ଅଞ୍ଚଳରେ ଯେଉଁ ସ୍ଥିତି କଟକ ଆଠଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଆଁଳ, ବଡ଼ଚାକୁଣ୍ଡା, ଡିମ୍ବିରୀବାଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହା ଏକ ମାତ୍ର ରାସ୍ତା । ଏହି ତିନିଟି ଗାଁର ସମସ୍ୟା ଅନେକ କିନ୍ତୁ ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ବ୍ରିଜଟିଏ ନିର୍ମାଣ ହେଉଛି ସତ, କିନ୍ତୁ କେବେ ସରିବ, କାହାକୁ ଜଣାନାହିଁ । ବନ୍ଧମୁଣ୍ଡା ପଞ୍ଚାୟତର ଏହିି ତିନି ଖଣ୍ଡ ଗାଁ ଲୋକଙ୍କ କେବଳ ବ୍ରିଜ୍ ନୁହେଁ ବରଂ ସମସ୍ୟା ମଧ୍ୟ ଅନେକ । ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

 

କଟକ ଆଠଗଡ଼ ବ୍ଳକ ରାଧାକୃଷ୍ଣପୁର ପଞ୍ଚାୟତର ୩ନଂ ୱାର୍ଡ଼ ରାଧିକାପାଟିକା ସାହିରେ ୧୦ ରୁ ୧୨ ପରିବାର ରହୁଥିବା ବେଳେ ୫୦ ଜନସାଧାରଣ ଅଛନ୍ତି । ସମସ୍ତେ ଆଦିବାସୀ ଶ୍ରେଣୀର । ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଗାଁର ଲୋକମାନେ କାଠପୋଲ ନିଜେ ତିଆରି କରି ଯାତାୟତ କରିଥାନ୍ତି । ସରକାରୀ ଆବାସ ଯୋଜନା ତ ଏଠି ସତେ ଯେମିତି ସାତ ସପନ । ସେପଟେ ରାସ୍ତା ସମସ୍ୟାର ସମାଧାନ ଆଗାମୀ ୧୫ ଦିନ ଭିତରେ ନ ହେଲେ ଆନ୍ଦୋଳନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନ ତତ୍ପରତା ସହ ଏକ ଟିମ ଗଠନ କରି ତାଙ୍କୁ ସାହାର୍ଯ୍ୟ ସହଯୋଗ ପାଇଁ ପ୍ଲାନିଂ କରୁଛନ୍ତି ବୋଲି କହିଛନ୍ତି ଆଠଗଡ଼ ବିଡିଓ ଅରୁଣ ଦାସ ।

ରିପୋର୍ଟର- ଆଲୋକ ମହାରଣା, ନୀଳକଣ୍ଠ ଦୋରା