• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଧପନ୍ତରିଆ ହୋଇ ପଡିରହିଛି ସେତୁ । ଇଏ ମାସେ କି ଦୁଇ ମାସର ନୁହେଁ ୨ ବର୍ଷର ହେଲା ପଡ଼ିରହିଛି ସେତୁ । ଅବଧି ସରିବାର ୨ ବର୍ଷ ହେଲାଣି, ବ୍ରିଜ୍‌ କାମ ସରିଲାଣି କି ଉଦଘାଟନ ବି ହେଲାନି । ଯାହାକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ହଜାର ହଜାର ଲୋକ।

ସେତୁ ଉପରେ ଘାସ ମାଡିଲାଣି, ଆଉ କୋଉଠି କାଠ ଆଦି ଥୁଆ ହେଲାଣି । କାମରେ ଆସୁନଥିବାରୁ ନିଜନିଜ ବ୍ୟବହାର ସାମଗ୍ରୀ ସେତୁ ଉପରେ ରଖିଛନ୍ତି ଲୋକେ । ଏ ଦୃଶ୍ୟ ହେଉଛି ଯାଜପୁର ବିଝାଂରପୁରବ୍ଲକ ବିଲ ସାହି କୁସୁନପୁର ଅଂଚଳର । ନୂଆମାହାର ନଦୀ ଉପରେ ୩ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇ ଛିଡା ହୋଇଛି ସେତୁ ।

ବ୍ରିଜ୍‌ ତ ନିର୍ମାଣ ହୋଇଗଲା ହେଲେ ଦୁଇପାର୍ଶ୍ୱର ସଂଯୋଗ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଆପ୍ରୋଚ ରୋଡ ତିଆରି କରାଯାଇ ନଥିବାରୁ ବାଙ୍ଗରା ପଂଚାୟତର ଗୁଣ୍ଡୁରିପଡା, କଟିଂତର ଓ କୁସୁନପୁର ଗ୍ରାମବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିବା ପରେ ବି କୌଣସି ଲାଭ ହେଉନି, ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ଯାଜପୁରର ତଳିଆ ଅଂଚଳରେ ରହୁଥିବା ଲୋକଙ୍କ ସୁବିଧା ଲାଗି ନୂଆମାହାରା ନଦୀ ଉପରେ ଗତ ୨୦୧୮ ମସିହାରେ ବିଜୁ ସେତୁ ଆରମ୍ଭ ହୋଇଥିଲା । ୨୦୨୦ରେ ପୋଲ କାମ କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଖାଲି ଏତିକି ନୁହେଁ ସେତକୁ ଉଭୟ ପାର୍ଶ୍ୱର ସଂଯୋଗ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାଢେ ୯ କୋଟି ଟଙ୍କା ବିନିମୟରେ ୮.୭ କିମି ରାସ୍ତା ନିର୍ମାଣ କରାଯାଇଛି । ହେଲେ ଏଯାଏ ସେତୁ ଯାତାୟତ ଯୋଗ୍ୟ ହୋଇପାରିନି । ସେପଟେ ଅଧପନ୍ତରିଆ ବ୍ରିଜ କାମକୁ ନେଇ ଆରଡି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଜମି ଅଧିଗ୍ରହଣ ସମସ୍ୟା ରହିଥିଲା । ଆସନ୍ତା ୬ ମାସ ଭିତରେ ବ୍ରିଜ୍‌ କାମ ସରିଯିବ ।

ନିର୍ମାଣ ଅବଧିର ୨ ବର୍ଷ ପରେ ବି ସରିପାରିଲାନି ପୋଲ କାମ । ଆଉ ଏବେ ପୁଣି ୬ ମାସର ଡେଡ୍‌ ଲାଇନ୍‌ ଦେଲେଣି ବଡବାବୁ। ତେବେ ସମୟ କହିବ କେବେ ସରୁଛି ଏଇ ପୋଲ କାମ ।

(ରିପୋର୍ଟ- ଯାଜପୁରରୁ ସଞ୍ଜୀବ ନାୟକ)