• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛେନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ଏହି ସୁସ୍ୱାଦୁ ମିଠେଇ ଆମ ଓଡ଼ିଶାର ନୟାଗଡ଼ରେ ଏହାର ସୃଷ୍ଟି । ନୟାଗଡ ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ ଦିବସ ରୂପେ ପାଳନ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ । ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଉଦ୍ୟମକୁ ସ୍ୱାଗତ କରିଛନ୍ତି ନୟାଗଡର ଜନସାଧାରଣ ।

ଛେନାପୋଡ଼ ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ମଧ୍ୟ ଭାରି ସୁଆଦିଆ । ଏହି ଛେନାପୋଡ଼ ଖିରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ । ଏହି ସୁଆଦିଆ ମିଠେଇ ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ନୟାଗଡ ଜିଲ୍ଲାରୁ ପ୍ରତିଦିନ ଶହ ଶହ କେଜି ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ ।

ଓଡ଼ିଶା ସେମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି । ହେଲେ ଆଜି ଯାଏଁ ନା ଛେନାପୋଡ଼କୁ ମିଳିଛି କୌଣସି ସ୍ୱୀକୃତି ନା ପ୍ରଚାର ପ୍ରସାରର ସୁବିଧା । ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଉଦ୍ୟମ ।

ନୟାଗଡ଼ ସହରର ସୁଦର୍ଶନ ସାହୁ, ଏହି ସୁଆଦିଆ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି । କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡପିଠା ପ୍ରସ୍ତୁତ କରିଥିଲେ । ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡର ସ୍ରଷ୍ଟା ବୋଲି କୁହାଯାଉଛି।

ସ୍ୱର୍ଗତ ସୁଦର୍ଶନଙ୍କ ଜନ୍ମ ତାରିଖ ଅନୁସାରେ ୧୧ ଏପ୍ରିଲ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ଭାବରେ ପାଳନ କରିବାକୁ ଉଦ୍ୟମ କରାଯାଉଛି । ଆଉ ଏଭଳି ଉଦ୍ୟମକୁ ଚାରିଆଡୁ ମିଳୁଛି ଢେର ପ୍ରଶଂସା। ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରୁଥିବାବେଳେ, ଏବେ ଅପେକ୍ଷା କେବେ ମିଳୁଛି ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ।

ରିପୋର୍ଟର- ନୟାଗଡ଼ରୁ ଆର୍ତ୍ତତ୍ରାଣ ପ୍ରଧାନ