• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟ ସରକାରଙ୍କ ଜାଗା ମିଶନ୍ ଯୋଜନାରେ ଭୂମିହୀନଙ୍କୁ ମିଳୁନି ଜମି ପଟ୍ଟା । ୨୦୨୦ ମସିହାରେ ସର୍ଭେ କରି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯାଇଛି । ହେଲେ ଆଜି ସୁଦ୍ଧା ମିଳିନି ଭୂମି ଅଧିକାର ପ୍ରମାଣପତ୍ର ବା ଏଲ.ଆର.ସି । ଫଳରେ ଯୁଗ ଯୁଗ ଧରି ପଟ୍ଟା ପାଇବାରୁ ବଞ୍ଚିତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବସ୍ତି ବାସିନ୍ଦା । ବିନିକା ତଅଁଳାପଡ଼ାର ୩୧ ଜଣଙ୍କ ସମେତ ବିଭିନ୍ନ ପଡ଼ାର ୨୦୪ ଜଣ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯାଇନି । ସେମାନଙ୍କୁ କେବେ ମିଳିବ ଏଲ.ଆର.ସି ? ନା ୨୦୨୪ରେ ଏହାକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର୍ ହେବ ଶାସକ ବିଜେଡି, ତାକୁ ନେଇ ଉଠିଛି ପ୍ରଶ୍ନ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ତଅଁଳାପଡ଼ାରେ ବସବାସ କରୁଛନ୍ତି ଭୂମିହୀନ । ଏଠାରେ ୩୧ ଜଣ ଭୂମିହୀନ ଗରିବ ପରିବାର ପ୍ରାୟ ୭୦-୮୦ ବର୍ଷ ହେଲା ପିଢି ପିଢି ଧରି ରହିଆସୁଛନ୍ତି । ଏମାନଙ୍କୁ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ବିନିକା ଏନ୍ଏସି ପକ୍ଷରୁ ୨୦୨୦ ଫେବୃଆରୀ ୨୧ ତାରିଖରେ ମିଳିଥିଲା ଯୋଗ୍ୟତା ପ୍ରମାଣପତ୍ର । ହେଲେ ଅଢେଇ ବର୍ଷ ପରେ ବି ଭୂମିହୀନଙ୍କର ସମାନ ଅବସ୍ଥା ଖଣ୍ଡେ ଖଣ୍ଡେ ଯୋଗ୍ୟତା ପ୍ରମାଣପତ୍ର ଧରି ରହିଛନ୍ତି, କିନ୍ତୁ ମିଳୁନି ଜମି ଅଧିକାର ପ୍ରମାଣପତ୍ର ବା ଏଲଆରସି । ଏପରିକି ଯୋଗ୍ୟତା ପ୍ରମାଣପତ୍ର ଦେବାବେଳେ ସରକାରୀ ବାବୁମାନେ ଭୂମିହୀନଙ୍କ ପାଖରୁ ବେଆଇନ୍ ଭାବେ ୨୦୦ ଟଙ୍କା ଲେଖାଏଁ ପକେଟ ଖର୍ଚ୍ଚ ମଧ୍ୟ ନେଇଥିବା ଅଭିଯୋଗ ହୋଇଛି ।

କେବଳ ତଅଁଳାପଡ଼ା ନୁହେଁ, ବିନିକା ସହରର ଚଣ୍ଡିପଡ଼ା, ବେତାପଡ଼ା, ମନୋହରିପଡ଼ା, ଜଗଦଲପୁର ଭଳି ବିଭିନ୍ନ ପଡ଼ାର ୨୦୪ ଜଣ ଜମିହୀନ ଏଲ.ଆର.ସି ପଟ୍ଟା ପାଇବାରୁ ବଞ୍ଚିତ । ଚଣ୍ଡିପଡ଼ାରେ ୨ ବର୍ଷ ତଳେ ଘରେ ଘରେ ଉଷା ସର୍ଭେ ମଧ୍ୟ କରାଯାଇଥିଲା । ହେଲେ ଲୋକଙ୍କୁ ଘର ଦେବେ ଦେବେ ବୋଲି କହି ଭଣ୍ଡେଇ ଆସୁଛନ୍ତି ଏନ୍ଏସି କର୍ତ୍ତୃପକ୍ଷ । ଫଳରେ ଗରିବ ଗୁରୁବା ମାନେ ସରକାରଙ୍କ ଆବାସ ଯୋଜନା ସହ ଅନ୍ୟାନ୍ୟ ଯୋଜନାର ଲାଭ ପାଇବାରୁ ବଞ୍ଚିତ ।ଏମାନେ ଭଙ୍ଗା ଦଦରା ଝାଟିମାଟି ପଲିଥିନ୍ ଢଙ୍କା କୁଡ଼ିଆ ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ।

ପ୍ରତିଥର ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆସି ଭୋଟ୍ ମାଗୁଛନ୍ତି । ଘର ଦେବାର ପ୍ରତିଶ୍ରୁତି ଦେଇ ଭୋଟ୍ ମଧ୍ୟ ହାତଉଛନ୍ତି, ହେଲେ ନିର୍ବାଚନ ବୈତରଣୀ ପାର୍ ହେବା ପରେ ଆଉ ଗୁହାରି ଶୁଣୁନାହାନ୍ତି । ବୋଧହୁଏ, ଆଗକୁ ୨୦୨୪ ନିର୍ବାଚନ ଥିବାରୁ ସରକାର ବସ୍ତି ଭୋଟ୍ ହାତେଇବାକୁ ପୁଣିଥରେ ଏହାକୁ ଅସ୍ତ୍ର କରିପାରନ୍ତି ।