• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେଉଁଠି ମେଡିକାଲରେ ଡାକ୍ତର ନାହାନ୍ତି ତ ଆଉ କେଉଁଠି ଡାକ୍ତର ଥାଇ ବିଭିନ୍ନ କାରଣରୁ ଆସୁନାହାନ୍ତି । ଏମିତିକି ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା । ଫଳରେ ଦୂରଦୂରାନ୍ତରୁ ମେଡିକାଲକୁ ଆସି ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଆସିକା ଉପଖଣ୍ଡ ଚିକିତ୍ସାଳୟ ସହ ଗଜପତି ପାରଳାଖେମୁଣ୍ଡି ପୌରପରିଷଦ ଭଣ୍ଡାରୀସାହିଠାରେ ଥିବା ସହରାଞ୍ଚଳ ଚିକିତ୍ସାଳୟର ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳୁଛି ।

ଆସିକା ଅଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ମିଳିବ ସତ୍ତ୍ୱେ ବଦଳିନି ଚେହେରା । ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି, ଆସିକା ସମେତ ବଡ଼ଗଡ, ସୋରଡା, ଧରାକୋଟ, କବିସୂର୍ଯ୍ୟନଗର ଆଦି ୫ଟି ଅଞ୍ଚଳର ଲୋକେ । ହେଲେ ଏଠାରେ ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା । ୧୭ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ମାତ୍ର ଜଣେ ବିଶେଷଜ୍ଞ ଏବଂ ୨ ଜଣ ଡାକ୍ତର । ତେଣୁ ରୋଗୀ ସେବାରେ ବାଧା ଉପୁଜିଥିବା ଅଭିଯୋଗ ହୋଇଛି । ମେଡିସିନ୍, ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡିଛି । ଏମିତିକି ଅନେକ ସମୟରେ ରୋଗୀଙ୍କୁ ବ୍ରହ୍ମପୁର ରେଫର କରି ଦିଆରଯାଉଥିବା ଅଭିଯୋଗ ହେଉଛି ।

ଏପଟେ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଚିକିତ୍ସାଳୟ । ଏଭଳି ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ପୌରପରିଷଦର ୪ ନମ୍ବର ୱାର୍ଡର ଭଣ୍ଡାରୀସାହିଠାରେ ଥିବା ସହରାଞ୍ଚଳ ଚିକିତ୍ସାଳୟରେ । ଏଠାରେ ଜଣେ ଡାକ୍ତର ନିଯୁକ୍ତ ଅଛନ୍ତି, ହେଲେ ଅସୁସ୍ଥତା କାରଣରୁ ସେ ମାସେ ହେଲା ଛୁଟିରେ ଅଛନ୍ତି । ତାଙ୍କ ସ୍ଥାନରେ କାହାକୁ ଦାୟିତ୍ୱ ଦିଆଯାଇନି । ଫଳରେ ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଚିକିତ୍ସାଳୟ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ନିଯୁକ୍ତ ଡାକ୍ତରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ତେବେ ସ୍ୱାସ୍ଥ୍ୟାବସ୍ଥା ଭଳି ଜରୁରୀ ସେବା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।