• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କୋମାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଥଣ୍ଡା ବ୍ୟବସ୍ଥା । ଅବ୍ୟବସ୍ଥାରେ ଜିଲ୍ଲାର ଭରସାଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ନୂଆନୂଆ ୭ ମହଲା ଘର ହେଲା ସତ କିନ୍ତୁ ସବୁ ଏଇଠି କୋମାରେ ପଡିବା ପରି ମନେ ହେଉଛି । ଅସ୍ଥ ଶଲ୍ୟ ବିଭାଗରେ ରୋଗୀଙ୍କ ଲାଗି ଲାଗିଛି ୫ଟି ଏସି, ହେଲେ ଗୋଟିଏ ବି କାମ କରୁନି । ଯେଉଁଥି ପାଇଁ ଖରାଦିନରେ ଆଉଟୁପାଉଟୁ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ଏସି ଖରାପ ଥିବାରୁ ପଙ୍ଖା ଓ ପଟି ପାଲଟିଛି ରୋଗୀଙ୍କ ଏକମାତ୍ର ସାହାରା ।

୨୦୧୮ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦିନଠୁ ଏଠାରେ ମୋଟ ୨୨୭ଟି ଏସି ଲାଗିଥିଲା । ସେଥିରୁ ରୋଗୀସେବା ପାଇଁ ୧୭୫ଟି ଉଦ୍ଦିଷ୍ଟ ଥିଲା । ଆଉ ଏବେ ସେଥିରୁ ୧୨୫ ଅଚଳ ହୋଇ ପଡିଛି । ଏପରିକି ପ୍ରସୂତି ୱାର୍ଡ, ଆଉଟଡୋର, ଇଂଜେକସନ ରୁମ ସମେତ ମେଡିସିନ ବଣ୍ଟନ ପ୍ରକୋଷ୍ଠରେ ବି ଏସି କାମ କରୁନି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିମ୍ନମାନର ଏସି ସହ ଷ୍ଟାବିଲାଇଜର ଲଗାଯାଇଥିବା ବେଳେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ସଠିକ ଭାବରେ କରା ଯାଉନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି ସହରବାସୀ ଓ ବୁଦ୍ଧିଜୀବୀ ।

ଖାଲି ଏସି ନୁହେଁ ବରଂ ଲିଫ୍ଚର ଅବସ୍ଥା ଦେଖିଲେ ଆପଣଙ୍କୁ ବି ବିରକ୍ତ ଲାଗିବ ନିଶ୍ଚୟ । ସେଠିବି ସମାନ ଅବସ୍ଥା । ମାସମାସ ଧରି ସେଠାରେ ମୋଟ ୪ଟି ଲିଫ୍ଟରୁ ୨ଟି ଲିଫ୍ଟ ଅଚଳ ହୋଇ ପଡିଛି । ଯେଉଁଥି ପାଇଁ ଜରୁରୀ ଅବସ୍ଥାରେ ରୋଗୀଙ୍କୁ ପାହାଚ ଚଢାଇ ଚଢାଇ ନେବାକୁ ବାଧ୍ୟ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ହସ୍ପିଟାଲର ଏଭଳି ଅବ୍ୟବସ୍ଥା ନେଇ କିଛି ଦିନ ପୂର୍ବରୁ ଢେଙ୍କାନାଳ ବାସିନ୍ଦା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ । ଯେଉଁଥିରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ କିଛି ଦିନର ଅନ୍ତରରେ ଏବେ ହସ୍ପିଟାଲର ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଖୁବଶୀଘ୍ର ଯଦି ଏହାର ସମାଧାନ ନହୁଏ ତେବେ ଢେଙ୍କାନାଳବାସୀ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ସିଡିଏମଓ କହୁଛନ୍ତି, ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ ହେବ ।

  • Reported by:
  • RAJASHREE SATAPATHY