• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲକୋଇ( ଚିନ୍ମୟ ସାହୁ) : ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ । ଫଳରେ ଗାଁ ଭିତରକୁ ପଶି ପାରୁନି ଗାଡି । ରାସ୍ତା କାମ ଚାଲୁଛି ସତ, ଅଧ ଖଣ୍ଡିଆ ଅବସ୍ଥାରେ ପଡ଼ିରହିଛି । ଫଳରେ ରୋଗୀଙ୍କୁ ବୋହି ବୋହି ନେବାକୁ ପଡୁଛି । ଏମିତି ଏକ ଚିତ୍ର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରୁ ଆସିଛି । ନଦୀରେ ପୋଲ କାମ ଅଧପନ୍ତରିଆ ହୋଇ ପଡ଼ି ରହିଥିବାରୁ ଜଣେ ପ୍ରସୂତିଙ୍କୁ ୩ କିଲୋମିଟର ଷ୍ଟ୍ରେଚରରେ ବୋହି ବୋହି ନଦୀ ପାର କରାଯାଇଥିଲା । ଆଉ ତା’ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଛି ।

ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ଶାଗପାଲି ଗ୍ରାମର ନବର ମୁଣ୍ଡାଙ୍କ ସ୍ତ୍ରୀ ସୀତା ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଆଉ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ଅଧା ରାସ୍ତାରେ ପଡୁଥିବା ମାଲଡା ନଦୀରେ ନିର୍ମାଣଧୀନ ପୋଲ ଅଧଖଣ୍ଡିଆ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରି ନଥିଲା । ଫଳରେ ଗର୍ଭବତୀ ସୀତାଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚରରେ ବୋହି ବୋହି ୩ କିଲୋମୋଟର ଆଣି ମାଲଡା ନଦୀ ପାର କରିଥିଲେ । ଆଉ ତା’ପରେ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏବେ ସୀତା ଙ୍କ ଅବସ୍ଥା ସ୍ଥିର ରହିଛି । ନୟାକଟରୁ ଶାଗପାଲିକୁ ସଂଯୋଗ କରୁଥିବା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ କାମ ଚାଲିଛି । କିନ୍ତୁ ନିର୍ମାଣ କାମ ୪ ବର୍ଷ ହେଲାଣି ମନ୍ଥର ଗତିରେ ଚାଲୁଥିବାରୁ ଏପରି ଘଟଣାମାନ ଘଟୁଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିହା ପଞ୍ଚାୟତ ଦିର୍ବ ଗ୍ରାମରେ ମଧ୍ୟ ସମାନଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ଲୋକେ ହଇରାଣ ହରକତ ହେଉଥିବା ବେଳେ ଗର୍ଭବତୀଙ୍କୁ ଖଟିଆରେ ବୁହାହୋଇଛି । ଏହି ଗ୍ରାମର କୁଆଁରଙ୍କ ପତ୍ନୀ ଶାନ୍ତି ଗର୍ଭବତୀ ଥିଲେ । ଗତକାଲି ସନ୍ଧ୍ୟା ସମୟରେ ଶାନ୍ତିଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଫଳରେ ସ୍ୱାମୀ କୁଆଁର ଗ୍ରାମର ଆଶା କର୍ମୀ ଜେମା ମହାନ୍ତଙ୍କୁ ଜଣାଇଥିଲେ । ଜେମା ୧୦୨ କୁ ଖବର ଦେଇଥିଲେ, ହେଲେ ୧୦୨ ଘରକୁ ପହଁଚି ପାରିନଥିଲା । ଫଳରେ ୨ କିମି ଦୂର ମିଲିଟାରୀ ସାହି ପର୍ଯ୍ୟନ୍ତ ଖଟିଆରେ ତାଙ୍କୁ ବୁହାଯାଇଥିଲା ।

ସେଠାରୁ ଶାନ୍ତିକୁ ଠାକୁରମୁଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ଶାନ୍ତି ଏବେ କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିବା ବେଳେ ଏବେ ମା ଏବଂ ଛୁଆ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ।