• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ । ଘରୋଇ ବସ୍ ଆନ୍ଦୋଳନ ଯୋଗୁଁ ରାଜ୍ୟର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ, ଯାତ୍ରୀ ହନ୍ତସନ୍ତ । ପାର୍ବଣ ଛୁଟିରେ ନା କେହି ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି, ନା ଜରୁରୀବେଳେ ପରିବହନ ସେବା ପାଇପାରୁଛନ୍ତି । ବସଷ୍ଟାଣ୍ଡରୁ ରେଳଷ୍ଟେସନ ଯାଏଁ, ନାକେଦମ୍ ହେଉଛନ୍ତି ବସ୍ ଅପେକ୍ଷାରେ ଥିବା ସାଧାରଣ ଯାତ୍ରୀ । ସାଂଘାତିକ ସମସ୍ୟା ଭୋଗୁଛନ୍ତି ପର୍ଯ୍ୟଟକ ।

ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ଯାଇ ସଞ୍ଜ ହୋଇଯାଉଛି ପଛକେ ଏ ସମସ୍ୟାର ସମାଧାନ କେବେ କାହା ପାଖରେ ଉତ୍ତର ହିଁ ନାହିଁ । ବ୍ରହ୍ମପୁର ଯିବାକୁ ବରମୁଣ୍ଡା ବସଷ୍ଟାଣ୍ଡରେ ଅପେକ୍ଷାରତ ଜଣେ ମହିଳା ଯାତ୍ରୀ କଟକ ଯାଇଥିଲେ ମେଡ଼ିକାଲ କାମରେ । ପାଖରେ ଯାହା କିଛି ଟଙ୍କା ଥିଲା ଡାକ୍ତରଖାନାରେ ସରିଗଲା, ଏବେ ଟିକଟ ଖଣ୍ଡେ କରି ସରକାରୀ ବସକୁ ଅପେକ୍ଷା କରି କରି ଆଖିରୁ ପାଣି ମରିଗଲାଣି ସିନା ବସ୍ ଆସୁନି ।

ଦାବି ପୂରଣ ଜିଦରେ ବରମୁଣ୍ଡା ବସଷ୍ଟାଣ୍ଡରେ ଇଞ୍ଚେ ବି ଗଡୁନି ଘରୋଇ ବସ୍, ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛି ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ । ଆଉ ଏପଟେ ସରକାରୀ ବସରେ ଯିବାକୁ ଟିକଟ ଖଣ୍ଡେ ପାଇଁ କାଉଣ୍ଟର ଆଗରେ ଧାଡ଼ି ବାନ୍ଧିଛନ୍ତି ଲୋକେ । ହେଲେ ଟିକଟ ଖତମ୍ । ଯାହାକୁ ନେଇ ବର୍ଷିଛନ୍ତି ବସଯାତ୍ରୀ ।

ଅଷ୍ଟ୍ରିଆରୁ ଆସିଥିବା ବିଦେଶୀ ପର୍ଯ୍ୟଟକ କ୍ରିସ୍ । ଭୁବନେଶ୍ୱରରୁ କୋଲକାତା ଯାଇଥାନ୍ତେ । ହେଲେ ବସ୍ ଷ୍ଟ୍ରାଇକ୍ ଯୋଗୁ ଏବେ କୁଆଡ଼େ ଯିବେ ଚିନ୍ତା କରି ପାରୁନାହାଁନ୍ତି । ସରକାରୀ ବସ୍ କାଉଣ୍ଟରରେ ଟିକଟ ନଥିବାରୁ ତାଙ୍କର ବି ବୁଦ୍ଧିବାଟ ହଜିଯାଇଛି ।

ବରମୁଣ୍ଡାରୁ ଭୁବନେଶ୍ୱର ରେଳଷ୍ଟେସନ ଯାଏଁ ହାଉଜାଉ ଯାତ୍ରୀ । ପୂଜା ଛୁଟି ପାଇଁ କିଏ ଘରକୁ ତ ଆଉ କିଏ ଅନ୍ୟତ୍ର ଯାଉଛନ୍ତି। ହେଲେ ବସ୍ ନଥିବାରୁ ଯେକୌଣସି ପ୍ରକାରେ ବି ହେଉ, ଟ୍ରେନରେ ଯିବାକୁ ବାହାରିଛନ୍ତି ଏମାନେ । ଆଉ ଯେଉଁମାନେ ଟ୍ରେନରେ ଆସି ପହଞ୍ଚିଛନ୍ତି, ତାଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିଦେବାକୁ ମନଇଛା ଭଡ଼ା ଆଦାୟ କରୁଛନ୍ତି ଭଡ଼ା ଗାଡ଼ି ମାଲିକ ।

କେବଳ ରାଜଧାନୀ ନୁହେଁ, ରାଜ୍ୟବ୍ୟାପି ଦେଖାଦେଇଛି ଏଭଳି ଦୁର୍ଦ୍ଦଶା । ମାଲକାନଗିରିରୁ ମୟୁରଭଞ୍ଜ ହେଉ କିମ୍ବା ସମ୍ବଲପୁରରୁ ବ୍ରହ୍ମପୁର । ୨୪ ଘଣ୍ଟା ହେଲା ଗନ୍ତବ୍ୟସ୍ଥଳକୁ ଯାଇନପାରି ନାକେଦମ୍ ପିଲାଠୁ ବୟସ୍କ । ବିଶେଷ କରି ରୋଗୀ, ଛାତ୍ରଛାତ୍ରୀ, ଚାକିରିଆ, ରୋଜଗାରିଆଙ୍କ ଅବସ୍ଥା ସଂଗୀନ ହୋଇପଡ଼ିଛି ।