• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସିଏ ଆମ ପାଇଁ ମରିଗଲା । ନିଜ ଜିଇଁଥିବା ଭଉଣୀ ପାଇଁ ମହିଳା ଜଣକ ଛାତିରେ ପଥର ରଖି କିଛି ଏମିତି କହିଛନ୍ତି । ଖାଲି ଭଉଣୀ ନୁହେଁ ବରଂ ଜନ୍ମକଲା ମାଆ ଓ ବାପା ବି କାନ୍ଦିକାନ୍ଦି ନିଜ କର୍ମକୁ ନିନ୍ଦିଛନ୍ତି । ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ମଥାରେ ଲାଗୁଥିଲା ସିନ୍ଦୂର, ସେପଟେ ଫଟୋରେ ଦିଆଯାଉଥିଲା ଫୁଲମାଳ । ଯିଏ କନ୍ୟା ହୋଇଛି ତା’ରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପର୍ବ ବି ଚାଲିଛି । କଥାଟା କାନକୁ ଅଡୁଆ ଲାଗୁଥିଲେ ବି ପୂରା ସତ ।

ଝିଅ ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ । ଅନ୍ୟ ଜାତିରେ ପୁଅକୁ ବାହା ହେଲା ବୋଲି ଗତକାଲି ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ । ଆଉ କାଲି ୧୨ ପିଣ୍ଡ ଦେବାର ଆୟୋଜନ ବି ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ମୋହନା ବ୍ଲକ୍ ଚାନ୍ଦିପୁଟ୍ ଗାଁରେ । ଗାଁର ସହଦେବ ସାହୁଙ୍କର ମଝିଆ ଝିଅ ଚାନ୍ଦିନୀ ସାହୁ ଗତ ୨ ତାରିଖର ବିଳମ୍ବିତ ରାତିରେ ଘର ଛାଡ଼ି କୁଆଡେ ଚାଲି ଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନଥିଲେ । ଝିଅ କୁଆଡେ ଗଲା? କେମିତି ଗଲା ? ଏନେଇ ସାରାରାତି ଶୋଇପାରିନଥିଲେ ପରିବାର ଲୋକେ । ହେଲେ ସକାଳୁ ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା ।

ଚାନ୍ଦିନୀ ନିଖୋଜ ହେବାର ଗୋଟିଏ ଦିନ ପରେ ପରିବାର ଲୋକ ଜାଣିବାକୁ ପାଇଥିଲେ କି ଝିଅ ଅନ୍ୟ ଜାତିର ଜଣେ ପୁଅଙ୍କୁ ବିବାହ କରିଛି । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅଶାନ୍ତି ତେଜିବା ପରେ ବଞ୍ଚି ଥାଉଥାଉ ଝିଅର ଶୁଦ୍ଧିକ୍ରିୟା କରିବାକୁ ପରିବାର ଲୋକ ନେଲେ ନିଷ୍ପତ୍ତି । ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଶୁଦ୍ଧି ବି ହେଲେ । ଆଉ ପୁରୋହିତ ଡାକି ଫଟୋରେ ପୁଷ୍ପମାଲ୍ୟ ବି ଦେଲେ । ଯାହାକୁ ନେଇ ପୂରା ଅଂଚଳରେ ଚର୍ଚ୍ଚା ଚାଲିଛି । ତେବେ କିଛିଦିନ ପୂର୍ବରୁ କେନ୍ଦ୍ରପଡା ଆଳିରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ଯାହା ପୂରା ରାଜ୍ୟରେ ଚହଳ ପକାଇଥିଲା । ପୂରା ଘଟଣାରେ ପୁଅଘରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

  • Reported by:
  • Mihir Jati