• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏବେ ଘରେ ଘରେ ଡେଙ୍ଗୁ । ସାହି ସାହିକୁ ମାଡ଼ିଲାଣି, ଟ୍ୱିନ୍ ସିଟିରେ ତ ସ୍ଥିତି ଅସମ୍ଭାଳ । କ୍ୟାପିଟାଲ୍ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଯେତେ ଭିଡ଼ ଜମୁଛି, ଚିକିତ୍ସା ପାଇଁ ତାଠୁ ଅଧିକ ହନ୍ତସନ୍ତ ହେଉଛନ୍ତି ରୋଗୀ । ବେଡ୍ ଅଭାବରୁ ଡେଙ୍ଗୁ ରୋଗୀ ବାରଣ୍ଡାରେ ଶୋଉଥିବା ଦେଖିବାକୁ ମିଳିଛି । ସେପଟେ କଟକ ଜିଲ୍ଲାରେ ୨୦୦ ପାର କଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଏବେଯାଏଁ SCBରେ ଖୋଲିପାରିଲାନି ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ।

କଟକ ସହରର ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ । ପରିସ୍ଥିତି ଏମିତି ହୋଇଛି କି ଏମାନଙ୍କ କଥା ବୁଝିବାକୁ କେହି ନାହାନ୍ତି । ସହରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୭୦ ପାର କଲାଣି । ଆଉ ଡେଙ୍ଗୁ ହଟସ୍ପଟ୍ ବୋଲାଉଥିବା ସିଡିଏ ଅଞ୍ଚଳରେ ସେଞ୍ଚୁରୀ ମାରିଲାଣି । ହେଲେ ଆଶ୍ଚର୍ଯ୍ୟର କଥା, ଏବେ ଯାଏଁ SCB ମେଡିକାଲରେ ଖୋଲିନି ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୫ଟି ବେଡ୍‌ରେ ଏଭଳି ଚାଲିଛି ଡେଙ୍ଗୁ ଚିକିତ୍ସା ।

ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ୍ ହସ୍ପିଟାଲ ବାହାରେ ଡେଙ୍ଗୁ ଟେଷ୍ଟ ପାଇଁ ଲମ୍ବା ଲାଇନ୍ । ରକ୍ତ ନମୁନା ଦେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ । ସ୍ଥିତି ଏମିତି ହୋଇଛି କି ରୋଗୀ ଧାଡ଼ିରେ ଛିଡ଼ା ହେଇ ଅଧିକ ଅସୁସ୍ଥ ହୋଇପଡ଼ୁଛି । ବାହାରେ ଯେତେ ଭିତରେ ତାଠୁ ଅଧକ ଭିଡ଼ । ବେଡ୍ ଅଭାବରୁ ଏମିତି ବାରଣ୍ଡା ଓ ଚଟାଣରେ ବିନା ମଶାରୀରେ ଶୋଇଛନ୍ତି ଡେଙ୍ଗୁ ଆକ୍ରାନ୍ତ ।

କ୍ୟାପିଟାଲ୍ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଏବେ ୬୫ଟି ବେଡ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ରୋଗୀଙ୍କ ସଂଖ୍ୟା ଏହାଠାରୁ ଢେର ଅଧିକା । ଲୋଡ୍ କମାଇବା ପାଇଁ ରାଜଧାନୀର ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଶଯ୍ୟାବିଶିଷ୍ଟ ଡେଙ୍ଗୁ ୱାର୍ଡ ଖୋଲିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଯାଏଁ ୟୁନିଟ-୪ CHCରେ ଏହା କାର୍ଯ୍ୟକାରୀ ହୋଇନି ।

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକକୁ ମାଡ଼ିଗଲାଣି ଡେଙ୍ଗୁ । ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ୱାର୍ଡ ଖୋଲିଛି,  ରୋଗୀଙ୍କ ଚିକିତ୍ସା ବି ହେଉଛି । ହେଲେ ଯେଉଁଠି ଡେଙ୍ଗୁ ସହ ଲଢ଼ୁଛନ୍ତି ରୋଗୀ ଏହାର କିଛି ମିଟର ଦୂରରେ କୁଢ଼ କୁଢ଼ ଅଳିଆ ଆବର୍ଜନା । ଏହାକୁ ଦେଖି ଲାଗୁଛି ଡେଙ୍ଗୁ ଭଲ ହେବ କଣ ଲୋକେ ଆହୁରି କିଛି ରୋଗ ଏଠୁ ସାଥିରେ ନେଇ ଯିବେ ।

ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେଉଥିବାରୁ ଜ୍ୱର, ହାତ ଗୋଡ଼ ବ୍ୟଥା ଏବଂ ବାନ୍ତି ହେଲେ ତୁରନ୍ତ ଟେଷ୍ଟ କରି ଡାକ୍ତରୀ ପରାମର୍ଶ ନେବାକୁ କୁହାଯାଇଛି । ନିଜ ଘର ଓ ଆଖପାଖ ଅଞ୍ଚଳ ସଫା ସୁତରା ରଖିଲେ ହିଁ ଡେଙ୍ଗୁକୁ ମୁକାବିଲା କରିପାରିବା । 

  • Reported by:
  • DEBASHISH MOHANTY , RASHMIRANJAN DAS , ARACHANA SATPATHY