• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ବଢୁଛି ବୁଲା କୁକୁର ଆତଙ୍କ । ଦିନ ରାତି ଯେତେବେଳେ ଦେଖିଲେ କୁକୁର କାମୁଡାର ଶିକାର ହେଉଛନ୍ତି ରାଜଧାନୀ ବାସୀ । କେବଳ ସେତିକି ନୁହେଁ ବରଂ କୁକୁର ପାଇଁ ଅନେକ ଦୁର୍ଘଟଣାରେ ଆହତ ବି ହେଉଛନ୍ତି । ତେବେ ହାଇକୋର୍ଟ ନିର୍ଦ୍ଦେଶ ପାଇଁ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବା ବିଏମସି କହିଥିବା ବେଳେ ଏହି ଋତୁରେ କୁକୁର ଅଧିକ ଆକ୍ରମଣାତ୍ମକ ହୋଇଥାନ୍ତି ବୋଲି ମତ ରଖିଛନ୍ତି ବିଶେଷଜ୍ଞ ।

ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି । ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ଵରଠୁ ନେଇ ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରଙ୍କୁ ନେଇ ଅତିଷ୍ଠ । ରାତି କଥା ତ ଛାଡ଼, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି । ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା ବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ଯାହାକୁ ନେଇ ବିଏମସି କୁ ପ୍ରଶ୍ନ କରିଛନ୍ତି ଲୋକେ।

ଗତ ଦୁଇ ମାସ ଭିତରେ କୁକୁର କାମୁଡା ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ଦିନକୁ ୬୦ରୁ ଅଧିକ ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସେପଟେ ବିଏମସିର କହିବା କଥା, ଗତ ଜୁଲାଇ ମାସରୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଲଗାଇବା ପରେ ବନ୍ଧ୍ୟାକରଣ ବନ୍ଦ ରହିଛି ।

ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ କୁକୁର ପ୍ରଜନନ ପରେ ଏବେ କୁକୁର ଛୁଆ ଜନ୍ମ ହୋଇ ବଡ ହୋଇଛନ୍ତି । ଛୁଆ ଉପରେ କୌଣସି ଆଘାତ ସୂଚନା ପାଇ ମାଈ କୁକୁର ମାନେ ଆକ୍ରମଣ କରିଥାନ୍ତି । ସେହିପରି କିଛି ଅଣ୍ଡିରା କୁକୁର ପ୍ରତିକ୍ରିୟାଶୀଳ ହୋଇ ମଧ୍ୟ ଆକ୍ରମଣ କରିଥାନ୍ତି । ଏଣୁ ରାସ୍ତାରେ ଯିବା ଆସିବା ବେଳେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରାଣୀ ବିଶେଷଜ୍ଞ ।

  • Reported by:
  • BIBARTAN PANDA