• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଭୋଗପୟ ପାଇଥାନ୍ତି । ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ । ମଧ୍ୟାହ୍ନ ଧୂପରେ ମହାପ୍ରଭୁଙ୍କୁ ସୁବାସ ପଖାଳ ୧୧ ଓଳି, ସନ୍ଧ୍ୟାଧୂପରେ ପାଣି ପଖାଳ ୨୩ ଓଳି, ସାନ ଓଳି ଦହିପଖାଳ ୨ ଓଳି, ବଡସିଂହାର ଧୂପରେ ମିଠା ପଖାଳ ୧୧ ଓଳି ଠାକୁରମାନଙ୍କୁ ଭୋଗ ଲାଗିଥାଏ ।

ଏଥି ସହିତ କାଞ୍ଜି, କଦଳୀବତା ମଧ୍ୟ ଲାଗି ହୋଇଥାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପଖାଳ ବେଶ ଗୁରୁତ୍ୱ ବହନ କରିଥାଏ । କାଳିଆ ସାଆନ୍ତ ଭାରି ଭଲ ପାଆନ୍ତି ପଖାଳ ଖାଇବାକୁ । ସେଇଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ ।

ଅଧିକ ପଢ଼ନ୍ତୁ: ପଖାଳର ଅନେକ ଗୁଣ, ଅଲସର୍ ପାଇଁ ରାମବାଣ

ଗତ କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ରାଜ୍ୟରେ ପଖାଳ ଦିବସ ପାଳିତ ହେଉଛି । ଦହିଛୁଙ୍କ ପଖାଳ ସହ ଶାଗ ଭଜା, ମାଛ ଭଜା, ବଡ଼ି ଚୁରା ଏମିତି କେତେ କଣ ଘରେ ଘରେ ପ୍ରସ୍ତୁତ ହେଉଛି ଖାସ୍ ଆଜିର ସ୍ୱତନ୍ତ୍ର ଦିବସ ପାଇଁ । ଓଡ଼ିଆ ସଂସ୍କୃତି ଓ ଖାଦ୍ୟପେୟ ସହ ପଖାଳର ସଂପର୍କ କାଳ କାଳରୁ ।

ପଖାଳ ଆମ ଓଡ଼ିଆଙ୍କ ପାଇଁ କେବଳ ଏକ ଖାଦ୍ୟ ନୁହେଁ, ଏହା ଜୀବନଶୈଳୀର ଏକ ଅଂଶ, ଏକ ନିଆରା ଭାବାବେଗ । ଆଜିକାଲି ସହରୀ ଚାକଚକ୍ୟ ଭିତରେ ପଖାଳର ଚାହିଦା ସାମାନ୍ୟ କମିଥିଲେ ବି, ଜମାରୁ କମିନି ଏହାର ସ୍ୱାତନ୍ତ୍ର୍ୟ । ତେଣୁ ଏହି ପଖାଳକୁ ନେଇ ସେଲିବ୍ରେଟ୍ କରିବାର ଏକ ମାଧ୍ୟମ ସାଜିଛି ପଖାଳ ଦିବସ ।

ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଆମ ରାଜ୍ୟ ହେଉ, କି ବାହାର କୌଣସି ଜାଗା, କି କୌଣସି ବିଦେଶର ସ୍ଥାନ ହେଉ, ପଖାଳ କଥା ପଡ଼ିଲେ ଗୋଟେ ଓଡ଼ିଆ ତା’ ଲୋଭ ସମ୍ବରଣ କରିପାରେନି । ପଖାଳ ଗୋଟେ ଓଡ଼ିଆର ମନ ଓ ପ୍ରାଣରେ ରହେ ।

ଦେଖନ୍ତୁ ଭିଡିଓ | ଆହା ପଖାଳ କଂସା ମୋର ଜୀବନ ଧନ

ପଖାଳ ଆମ ଓଡ଼ିଶାର ଧନୀ, ଗରିବ, ମଧ୍ୟବିତ୍ତ ସବୁ ପ୍ରକାର ପରିବାରର ଭୋକ ମେଣ୍ଟାଇବା ପରି ଏକ ସରଳ ଖାଦ୍ୟ । କିନ୍ତୁ ବହୁ ପରିମାଣର ପୋଷକରେ ଭରପୂର । ସୋସିଆଲ ମିଡିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି ଏହି ପଖାଳ । ପଖାଳର ମହତ୍ତ୍ୱ ପାଇଁ ବର୍ତ୍ତମାନ ଦେଶ ବିଦେଶରେ ମଧ୍ୟ ଏହାର ଆଦୃତି ବଢ଼ିଛି ।

ଏହାର ସ୍ୱାସ୍ଥକର ଗୁଣ ପାଇଁ ଆଜି ଏହା କେବଳ ଏକ ଗରିବଘରର ଖାଦ୍ୟ ହୋଇ ରହିନାହିଁ । ଏହା ଏବେ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ମଧ୍ୟ ଏକ ମୁଖ୍ୟ ଖାଦ୍ୟରୂପେ ମେନ୍ୟୁରେ ରହୁଛି ।