• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କୋରାପୁଟ ଜିଲ୍ଲାରେ ଆଉ ସପ୍ତାହେ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଏହି ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରରେ ସାରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଆରମ୍ଭ ନହେଉଣୁ କେଁ ଦେଖା ଦେଇଛି । ୧୨ ଲକ୍ଷ ୪୨ ହଜାର ୫୯୭ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଜିଲ୍ଲାକୁ ଟାର୍ଗେଟ ମିଳିଥିବା ବେଳେ କେବଳ ପ୍ରାୟ ୩ ଲକ୍ଷ କ୍ଵିଣ୍ଟାଲ ସଂଗ୍ରହ କରିବେ ବୋଲି ଜିଲ୍ଲା ମିଲ୍‌ ମାଲିକ ସଂଘ ସ୍ପଷ୍ଟ କରିଛି ।

ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ, ଯୋଗାଣ ବିଭାଗର ଅଧିକାରୀ ଓ ମିଲ ମାଲିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ବି ହୋଇଥିଲା । ହେଲେ ଏହି ବୈଠକ ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରିନି । ମିଲ ମାଲିକଙ୍କୁ ପ୍ରାୟ ୧୦ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି । ହେଲେ ମିଲର୍ସ କିନ୍ତୁ ସହମତି ଜଣାଇ ନାହାନ୍ତି । ଫଳରେ ଆହୁରି ପ୍ରାୟ ୩ ଦିନ ପରେ ଏହି ସମସ୍ୟାର ସମାଧାନ ପାଇଁ ବାଟ ବାହାର କରାଯିବା ପାଇଁ ଆଲୋଚନା ହୋଇଛି । ତେବେ ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟରେ ନିରୀହ ଚାଷୀ ପେଶି ହେଉଥିବା ଅଭିଯୋଗ ହୋଇଛି ।

ରବି ଧାନ ସଂଗ୍ରହକୁ ନେଇ କେଁ.. ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ । ସଂଗ୍ରହ ଧାନକୁ କେବଳ ଅରୁଆ ଚାଉଳ କରିବାକୁ ବିଭାଗୀୟ ନିଷ୍ପତ୍ତି ନିଆଯାଇଛି । ଏହାସହ ଉନ୍ନତମାନର ଚାଉଳ ନହେଲେ ଏହାକୁ ଫେରେଇ ଦିଆଯିବ ବୋଲି ସିଧାସଳଖ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେବେ ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ଅନ୍ୟ କୌଣସି ଜିଲ୍ଲାର ମିଲର୍ସ ଯୋଗ ଦେବେ ନାହିଁ । କେବଳ କୋରାପୁଟ ଜିଲ୍ଲାର ମିଲର୍ସ ହିଁ ଉପରୋକ୍ତ ଟାର୍ଗେଟ ଧାନ ସଂଗ୍ରହ କରିବେ ।

ପୂର୍ବରୁ ଜିଲ୍ଲାର ମିଲର୍ସମାନେ ଅରୁଆ ଚାଉଳ ଯୋଗାଣ ପାଇଁ ପ୍ରାୟ ୩ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ କରିଥାନ୍ତି । ବର୍ତ୍ତମାନ ଅନ୍ୟ ଜିଲ୍ଲାର ମିଲର୍ସ ଏଠାକୁ ଧାନ ସଂଗ୍ରହ ପାଇଁ ଆସୁନଥିବା ବେଳେ ୧୦ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ମିଲର୍ସଙ୍କ ଉପରେ ଚାପ ପକାଯାଉଛି । ଅନ୍ୟପଟେ ଧାନକୁ ଅରୁଆ ଭାବେ କଷ୍ଟମ ମିଲିଂ କଲେ ବହୁ ପରିମାଣରେ ଭାଙ୍ଗିଯାଏ । ଏହି ଭଙ୍ଗା ଚାଉଳକୁ ଏଫସିଆଇ ଗ୍ରହଣ କରିବ ନାହିଁ । ଅଯଥାରେ ଚାଉଳ ନଦେଇ ପାରି ମିଲମାଲିକ କଳା ତାଲିକା ଭୁକ୍ତ ହେବ । ଏଥିପାଇଁ ଆଜିର ବୈଠକରେ ମିଲର୍ସମାନେ ନିଜ ନିଜ ଅସହାୟତା ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ଜଣାଇ ଦେଇଛନ୍ତି । ତେବେ ବସିଥିବା ବୈଠକରେ କିନ୍ତୁ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ ।

  • Reported by:
  • Surya Narayan Panda