• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଷୀଙ୍କ ମୁଣ୍ଡରେ ପୁଣି ଚଡ଼କ । ବୋଝ ଉପରେ ନଳିତା ବିଡ଼ା ଭଳି ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଛି । ଗୋଟିଏ ପଟେ ପ୍ରଶାସନ ମଣ୍ଡିରୁ ଧାନ ଉଠାଇବା କଥାକୁ ଗୁରୁତ୍ୱ ଦେଉନଥିବା ବେଳେ ଅନ୍ୟପଟେ ଅଦିନିଆ ବର୍ଷା ଚିନ୍ତା ବଢ଼ାଇଛି ।

ଅଦିନିଆ ବର୍ଷା ଭିଜେଇ ଦେଲା ମଣ୍ଡିର ଧାନ । ହଜାର ହଜାର ବସ୍ତା ଧାନ ଭିଜି ଗଜା ହେବା ଉପରେ । ହଜାର ହଜାର ବସ୍ତା ଧାନ, ପାଣିରେ ଭିଜି ଯାଇଥିବାରୁ ଗଜା ହେବାର ମଧ୍ୟ ଆଶଙ୍କା ଦେଖାଦେଇଛି । ଏହି ଧାନକୁ ଶୀଘ୍ର ଉଠାଇବା ପାଇଁ ଦାବି କରିଛନ୍ତି ଚାଷୀ । କାରଣ ଓଦା ଧାନ ଅଧିକ ଦିନ ରହିଗଲେ, ପୁରା ନଷ୍ଟ ହୋଇଯିବା ଆଶଙ୍କା ରହିଛି ।

ସେତେବେଳେ ମିଲର୍ ମାନେ ନାନା ବାହାନା କରି କଟ୍‌ନି ଛଟ୍‌ନି କରିବାର ମଧ୍ୟ ଆଶଙ୍କା ରହିଛି । ବହୁ ଦିନ ଧରି ମଣ୍ଡିରେ ଧାନ ପଡ଼ି ରହିବା ଓ ପାଣିପାଗ ବିଭାଗର ବର୍ଷା ପୁର୍ବାନୁମାନ ସତ୍ତ୍ୱେ ଧାନ ଉଠାନଯିବାରୁ ଏହି ସମସ୍ୟା ହେଲା ବୋଲି ପ୍ରଶାସନକୁ ହିଁ ଦାୟୀ କରିଛନ୍ତି ଚାଷୀ । ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହେଲାଣି ଧାନ ସଂଗ୍ରହ ପ୍ରକ୍ରିୟା।  ଏପର୍ଯ୍ୟନ୍ତ ୪୧ ଲକ୍ଷ କ୍ୱିଣ୍ଟାଲ ଧାନ ଉଠାଯାଇଛି । ଯୋଗାଣ ବିଭାଗ କହୁଛି, ମାର୍କେଟ ୟାର୍ଡରେ ଏବେ ପଡ଼ି ରହିଛି ମାତ୍ର ୪ ଲକ୍ଷ କ୍ୱିଣ୍ଟାଲ । କିନ୍ତୁ ଚାଷୀଙ୍କ କହିବା କଥା ବିଭିନ୍ନ ମଣ୍ଡିରେ ଏବେ ମଧ୍ୟ ୧୧ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି ।

ତେବେ ଚାଷୀଙ୍କର ବର୍ଷକର ପରିଶ୍ରମ ଏବେ ପାଣିରେ ପଡ଼ିଲା ଭଳି ଆଶଙ୍କା କରାଯାଉଛି । ତେଣୁ ଚାଷୀଙ୍କ ଦୁଃଖ ବୁଝି ସରକାର ତଥା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗରୁତ୍ୱ ଦିଅନ୍ତୁ ଏବଂ ଚାଷୀଙ୍କ ଧାନ କଭଳି ମଣ୍ଡିରୁ ଶୀଘ୍ର ଉଠିବ ସେହି ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନେ ନିବେଦନ କରିଛନ୍ତି ।