Advertisment

ପେଟ ପାଇଁ ନାଟ; ଗୀତ ଗାଇ ବଖାଣୁଛନ୍ତି ଯନ୍ତ୍ରଣାର କାହାଣୀ

ଯେତେବେଳେ ଭାଗ୍ୟ ଖେଳେ ଖେଳ..ଜନ୍ମରୁ ଆଖିକୁ ଦିଶୁନି, ହେଲେ ପରିବାର ବୋଝ ବୋହିଚାଲିଛନ୍ତି। ସକାଳ ହେବା ମାତ୍ରେ ଦୁଇ ନାବାଳକ ପୁଅଙ୍କୁ ଏମିତି ଧରି ଗୀତ ଗାଉଛନ୍ତି, ଆଉ ଭିକ୍ଷାବୃତ୍ତି କରୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକିରେ କଷ୍ଟେମଷ୍ଟେ ଚଳୁଛି ପରିବାର

ଅଦ୍ୟତନ ହୋଇଛି
Begging For Livelihood

Begging For Livelihood

Advertisment

କପାଳରେ ଯେତେବେଳେ ଦୁଃଖ ଲେଖାଯାଇଛି,ସେତେବେଳେ ଭାଗ୍ୟ କେମିତି ବା ହାତ ଧରିବ ? ଆଖିକୁ ଦିଶୁନି, କିନ୍ତୁ କଣ୍ଠରେ ଜୀବନ ଯନ୍ତ୍ରଣାର ଧାଡି ଧାଡି ଦୁଃଖ । ତାଙ୍କ ପୂରା ପରିବାରକୁ ଭାଗ୍ୟ ନେଇ ଆସିଛି ଦାଣ୍ଡକୁ । ତଥାପି ଭାଙ୍ଗି ପଡିନାହାନ୍ତି ପାରଳାଖେମୁଣ୍ଡିର ଦିବ୍ୟାଙ୍ଗ ଭିକ୍ଷୁକ ଜି.ଶିବ ।

Advertisment

କେନ୍ଦେରା ଧରି ବାପା ଗୀତ ଗାଉଛି । ବେକରେ ପଡିଥିବା ଗାମୁଛାକୁ ଭିଡି ଭିଡି ଆଗକୁ ବଢୁଛନ୍ତି ଦୁଇ ନାବାଳକ ପୁଅ । ପୁଣି ରାସ୍ତାରେ କାଳେ ଭୋକ ହେବ, ସେଇଥି ଲାଗି ହାତରେ ଧରିଛନ୍ତି ପାଉଁରୁଟି । ଆଉ ଦୁଆର ଦୁଆର ବୁଲି କରୁଛନ୍ତି ଭିକ୍ଷାବୃତ୍ତି । ଦୁଆର ଦୁଆର ବୁଲି ଯାହା ଯେତିକି ରୋଜଗାର ହେଲା, ସେତିକିରେ ପୂରା ପରିବାର ଚଳୁଛି । ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଦୁଇ ନାବାଳକ ରାଜରାସ୍ତାରେ ବୁଲିବୁଲି କେମିତି ମାଗୁଛନ୍ତି ଭିକ? ଯେତେବେଳେ ଭୋକରେ ପେଟ ପୋଡିଯାଉଥିବ ସେତେବେଳେ ନିୟମକୁ ମାନିବ ବା କିଏ ?

ଅଧିକ ପଢ଼ନ୍ତୁ: ପେଟ ପାଇଁ ନାଟ; ଚାଖଣ୍ତେ ପେଟ ପାଇଁ ଦାଦନ ଖଟୁଛନ୍ତି ବ୍ଲକ୍ ଉପାଧ୍ୟକ୍ଷ

Advertisment

ହାତରେ କେନ୍ଦେରା ଧରି ଗୀତ ବୋଲି ବୋଲି ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ଜଣକ ହେଲେ ଜି.ଶିବ କୁମାର। ଜନ୍ମବେଳରୁ ଆଖିକୁ ଦିଶୁନି, ତେଣୁ କାମ କରିବେ ବା କେମିତି ? ଆଖିକୁ ଦିଶୁନି ସତ ହେଲେ ପରିବାର ବୋଝକୁ ଆଉ କାହା ଉପରେ ସେ ଲଦିବାକୁ ବି ଚାହୁଁନାହାନ୍ତି । ସେଇଥି ଲାଗି ତ ଦୃଷ୍ଟବାଧିତ ହେବା ପରେ ବି ଦୁଇ ପୁଅଙ୍କ ସାହାଯ୍ୟ ନେଇ ଭିକ୍ଷାବୃତ୍ତି କରୁଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ସରକାର ବାରମ୍ବାର କହୁଛନ୍ତି, ରାଜ୍ୟରେ କେହି ଭୋକିଲା ରହିବେନି କି ଭିକାରୀ ରହିବେନି। ହେଲେ ଆଶ୍ଚର୍ଯ୍ୟର କଥା ଶିବ କୁମାର ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମ ର ବୋଲି ଜଣାପଡିଛି । କିନ୍ତୁ ସେ ଏବେ ଗଜପତି ପାରଳାଖେମୁଣ୍ଡିରେ ଏମିତି ବୁଲି ବୁଲି କରୁଛନ୍ତି ଭିକ୍ଷାବୃତ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଶହଶହ ଯୋଜନା କରିଛନ୍ତି ସରକାର । ସେଇ ଯୋଜନାରେ ସାମିଲ ହେବା ପାଇଁ ବାରମ୍ବାର ଶିବ ଆବେଦନ କରିଛନ୍ତି ସତ, କିନ୍ତୁ ଯୋଜନାର ଲାଭ ପାଇନାହାନ୍ତି ।

Advertisment

ତେବେ କଅଁଳ ଶିଶୁ ରାସ୍ତା ଉପରେ ଭିକ ମାଗିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଏ ଘଟଣା ସମ୍ପର୍କରେ ସେ ଏବେ ଜାଣିଲେ । ସେମାନଙ୍କୁ ଖୋଜି ବାହାର କରିବା ପରେ ଗଂଜାମ ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବେ ।

ଶିଶୁ ଓ ଦିବ୍ୟାଙ୍ଗ ପାଇଁ ଯୋଜନାର ଅଭାବ ନାହିଁ। ହେଲେ ଏ ସବୁ ସଫଳ ରୂପାୟନକୁ ନେଇ ସରକାର ଯେଉଁ ବାହାସ୍ଫୋଟ ମାରୁଛନ୍ତି, ତାହା କେବଳ ଦିବାସ୍ୱପ୍ନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି ପରିବାରକୁ କେବେ ସରକାରୀ ସାହାଯ୍ୟ ମିଳିବ, ତା’ ଉପରେ ଏବେ ସମସ୍ତଙ୍କ ନଜର ।

(ରିପୋର୍ଟ- ଆଦର୍ଶ ଦାସ, ଗଜପତି)

Begging For Livelihood Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ