• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦିନେ ଯିଏ ସରକାରୀ ଯୋଜନା ବାଣ୍ଟୁଥିଲେ, ସିଏ ଆଜି ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରୁଛନ୍ତି । ଦିନେ ଯିଏ କାଳିଆ ଯୋଜନାର ଆବଣ୍ଟନ କରୁଥିଲେ, ଆଜି ନିଜେ ସିଏ ଦାଦନ ଖଟୁଛନ୍ତି । ଆମେ କହୁଛୁ, ବଲାଙ୍ଗିର ଦେଓଗାଁ ବ୍ଲକ ଉପାଧ୍ୟକ୍ଷଙ୍କ କଥା, ରାଜୁ ବାଗ୍‌ଙ୍କ ଅସହାୟତାର କାହାଣୀ । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବ୍ଳକ୍ ଉପାଧ୍ୟକ୍ଷ ହୋଇଥିଲେ ରାଜୁ ବାଗ୍ । ୨୦୧୯ରେ ନିଜ ଅଂଚଳରେ ଅପହଞ୍ଚ ସରକାରୀ ଯୋଜନା ଓ ପ୍ରଶାସନର ଫମ୍ପା ପ୍ରତିଶ୍ରୁତିକୁ ନେଇ ବି ଓଟିଭି ଆଗରେ ବର୍ଷିଥିଲେ ।

ଆଜିକୁ ୮ମାସ ବିତିଗଲା, ରାଜୁ ବାଗ୍ ଗାୟବ । ପତ୍ନୀଙ୍କୁ ଶ୍ୱଶୁର ଘରେ ଛାଡ଼ିଦେଇ ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ଏପଟେ ରାଜୁଙ୍କ ଗାଁ ଖଇରଗୁଡ଼ାରେ ଦହଗଞ୍ଜ ବୟସ୍କ ମା, ବାପା । କାରଣ ମୂଳ ଲାଗିଲେ ପେଟକୁ ଦାନା ମିଳେ । ବାର୍ଦ୍ଧକ୍ୟ ଭତ୍ତାର ନାଁ ଗନ୍ଧ ମଧ୍ୟ ନାହିଁ । ତେଣୁ ଏକମାତ୍ର ରୋଜଗାରିଆ ପୁଅ ପରିବାର ଚଳାଇବା ପାଇଁ କାହାକୁ ନକହି ବାହାର ରାଜ୍ୟକୁ ଚାଲିଯାଇଥିବା କହିଛନ୍ତି ରାଜୁଙ୍କ ମା ପାଟ ବାଗ ।

ରାଜୁଙ୍କ ଗାଁ ଖଇରଗୁଡ଼ାର ଅଧିକାଂଶ ଘରେ ତାଟିକବାଟରେ ତାଲା ଝୁଲୁଛି । କାରଣ ଅଧିକାଂଶ ଖଟିବାକୁ ଦାଦନ ଯାଇଛନ୍ତି । ଯିଏ ବି ଅଛନ୍ତି, ଜବ୍‌କାର୍ଡ ଥିଲେ ବି ହାତକୁ କାମ ନାହିଁ । ତେବେ ଏଥର ମରୁଡି ଯୋଗୁଁ, ଅମଳ ହୋଇନାହିଁ । ଏଭଳି ସ୍ଥିତିରେ ବାହାଘର ପରଠୁ ଋଣଗ୍ରସ୍ତ ରାଜୁ ବାଗ୍ ଦାଦନ ଯାଇଥିବା କୁହାଯାଉଛି । ଜଣେ ଜନପ୍ରତିନିଧିଙ୍କ ଯଦି ଏଭଳି ଦଶା, ତେବେ ଅନ୍ୟ ଗରିବ ଗୁରୁବା ବାକରିବେ କଣ । ତାଙ୍କ ପାଇଁ ବି ଦାଦନ ଯିବା ଏକମାତ୍ର ବିକଳ୍ପ ରହିଥିଲା ।

 

ଗତ କିଛିଦିନ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ କହୁଛି, ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ କାମଧନ୍ଧା ମିଳୁନି । MGNREGA ବି ଫେଲ୍ ମାରିଛି । ଏହାର ସୁଯୋଗ ନେଇ ଦଲାଲ ମାନେ ୩୦ରୁ ୪୦ % ଅଗ୍ରୀମ ଟଙ୍କା ଦେଇ ଲୋକଙ୍କୁ ରାଜ୍ୟ ବାହାରକୁ ପଠାଉଛନ୍ତି । ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ୧୧ଟି ସୂତ୍ରୀ ପରାମର୍ଶ ଦେଇଥିଲେ ବିଶ୍ୱବିଦ୍ୟାଳୟ । ଅପରପକ୍ଷେ ୨୦୧୭ରେ ଲୋକଙ୍କୁ କାମ ଯୋଗାଇଦେବାକୁ ବଲାଙ୍ଗିର ଓ ନୂଆପଡ଼ାର ୩୦ ପଞ୍ଚାୟତ ଲାଗି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ୧୩୪ କୋଟିର ଯୋଜନା ଘୋଷଣା କରିଥିଲେ ।

କିନ୍ତୁ ଯୋଜନା ଏବେ ଯୋଜନା ବାଟରେ । ଏଭଳି ସ୍ଥିତିରେ ଜଣେ ବ୍ଲକ ଉପାଧ୍ୟକ୍ଷ ରୋଜଗାର ପାଇଁ ରାଜ୍ୟ ବାହାରକୁ ଯିବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।