• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

5T ସ୍କୁଲରେ ବିକଳ ଚିତ୍ର । କେଉଁଠି ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେଲେଣି ତ, କେଉଁଠି ଶିକ୍ଷକ ମରୁଡି । ରୂପାନ୍ତୀକରଣ ନାଁରେ କୋଟି କୋଟି ଖର୍ଚ୍ଚ କଲେ । ରଙ୍ଗ ମାରି 5Tର ପ୍ରଚାର ପ୍ରସାର କଲେ । ହେଲେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଆସୁଥିବା ସାଙ୍ଘାତିକ ଚିତ୍ର ଖୋଲି ଦେଇଛି 5T ରୂପାନ୍ତୀକରଣର ପୋଲ। ଯାହାକୁ ନେଇ ତେଜିଛି ରାଜନୀତି । ଅସ୍ତରଙ୍ଗ 5T ସ୍କୁଲ ଛାତରୁ ପ୍ଲାଷ୍ଟର ଖସିବା ଘଟଣାରେ ସ୍କୁଲ ଯାଇ ଧାରଣା ଦେଇଛି ବିଜେପି ।

ବାହାରୁ ଚକାଚକ୍, ଭିତରୁ ଫମ୍ପା ରାଜ୍ୟ ସରକାରଙ୍କ 5T ସ୍କୁଲ । ଦିନ୍ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍ । ପୁରୀ ଜିଲ୍ଲା ଅସ୍ତରଙ୍ଗର ତାଳଦା ପଞ୍ଚାୟତ ଏଡବାଂଶ ପଢିଆରୀ ଉଚ୍ଚ ବିଦ୍ୟାଳୟ ୬ ମାସ ତଳେ 5T ଯୋଜନାରେ ରୂପାନ୍ତରିତ ହେବା ପରେ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଗତକାଲି ସ୍କୁଲ କମନ ରୁମ୍ ଛାତରୁ ପ୍ଲାଷ୍ଟର ଖସି ଆହତ ହୋଇଛନ୍ତି ଜଣେ ଶିକ୍ଷୟିତ୍ରୀ ଆଉ CRC । ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଏବଂ CRC ତ୍ରିଲୋଚନ ବେହେରାଙ୍କ ମୁଣ୍ଡ ଫାଟିବା ସହ ଶରୀରରେ ମଧ୍ୟ ଆଘାତ ଲାଗିଛି । ସହକାରୀ ଶିକ୍ଷକ ଦୈତାରୀ ନାୟକ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣା ପରେ ଆଜି ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଭଦ୍ରକ ରମ୍ଭିଳା 5T ସ୍କୁଲ୍ ଆଗରେ ମଧ୍ୟ ଧାରଣା ଦିଆଯାଇଛି । 5Tରେ ରଙ୍ଗ ମାରି ଚକାଚକ୍ ତ କରିଦେଲେ ହେଲେ ସମସ୍ୟା ଶିକ୍ଷକ ମରୁଡି । ୧୮୦ ଛାତ୍ରଛାତ୍ରୀଙ୍କୁ ମାତ୍ର ୪ ଜଣ ଶିକ୍ଷକ। ଆହୁରି ସାଂଘାତିକ ଅଭିଯୋଗ ହେଲା କେବଳ ହିନ୍ଦୀ, ସଂସ୍କୃତ ଛାଡି ଦେଲେ ଆଉ କୌଣସି ବିଷୟ ପଢା ଯାଉନି ।

5T ସ୍କୁଲକୁ ନେଇ ବାସୁଦେବପୁରରୁ ସାମ୍ନାକୁ ଆସିଛି ବିଡମ୍ବନାର ଚିତ୍ର । କାମ ସରିନି ହେଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରିଦିଆଯାଇଛି । ଏ ଅଭିଯୋଗ ଆସିଛି ଗୁଆଗଡିଆ ନିରାକର ସରକାରୀ ଉଚ୍ଚବିଦ୍ୟାଳୟରୁ । ୪୦ ଲକ୍ଷ ୫୦ ହଜାର ବ୍ୟାୟବରାଦ ହୋଇ କାମ ଆରମ୍ଭ ହେଲା, ହେଲେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ପରେ ବି ୨ ମାସ କାମ ସରୁନି ।

ଆଶ୍ଚର୍ଯ୍ୟର କଥା ହେଲା, ଅନେକ ସ୍ଥାନରେ ଫାଇଭ ଟିରେ ସ୍କୁଲ ରୂପାନ୍ତୀକରଣ ପରେ ମଧ୍ୟ ସ୍କୁଲ ଭାଙ୍ଗିବା ବା ଉଚ୍ଛେଦ ଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଏଇ ଯେମିତି ଭୁବନେଶ୍ବର ୟୁନିଟ-୨ ହାଇସ୍କୁଲ ଏବଂ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ । ତେଣୁ ଏସବୁ ଘଟଣା ଖୋଲି ଦେଇଛି ରାଜ୍ୟ ସରକାରଙ୍କ ଫାଇଭ ଟିର ପୋଲ୍। ଏହାକୁ ନେଇ ଏବେ ତେଜିଛି ରାଜନୀତି । ଅସ୍ତରଙ୍ଗ ଘଟଣାରେ ସ୍କୁଲକୁ ଯାଇ ଧାରଣା ଦେଇଛି ବିଜେପିର ଏକ ଟିମ୍ । କଂଗ୍ରେସ ପଚାରିଛି, ଫାଇଭ ଟି ରୂପାନ୍ତିକରଣ କାହା ସ୍ୱାର୍ଥରେ । ତେବେ ଏ ସଂପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏପଟେ କିନ୍ତୁ ଫାଇଭ ଟି ସ୍କୁଲକୁ ନେଇ ପ୍ରଚାର ପ୍ରସାରରେ ମାତିଛନ୍ତି ସରକାର । ଏବେ ସୁଦ୍ଧା ରାଜ୍ୟରେ ୬ ହଜାର ୮୮୩ ସ୍କୁଲର ରୂପାନ୍ତୀକରଣ ସରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ୮ ହଜାର ୬୫୪ ସ୍କୁଲ ରୂପାନ୍ତିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।