Advertisment

କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ହାଇକୋର୍ଟଙ୍କ ନୋଟିସ୍‌ ଜାରି

ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍‌ ଜାରି...

author-image
Otv Khabar Bureau
ଅଦ୍ୟତନ ହୋଇଛି
Orissa HC scanner on land takeover of Shailabala Women's Autonomous College

Orissa HC scanner on land takeover of Shailabala Women's Autonomous College

କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ବିଭାଗ ସଚିବ, ସଂସ୍କୃତି ସଚିବଙ୍କ ସହ କଟକ ଜିଲ୍ଲାପାଳ ଓ ଶୈଳବାଳା କଲେଜ ଅଧ୍ୟକ୍ଷାଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଚଣ୍ଡୀ ମନ୍ଦିର ପରିସୀମା ସମ୍ପ୍ରସାରଣ ପାଇଁ ଶୈଳବାଳା ମହାବିଦ୍ୟାଳୟର ଜମି ଅଧିଗ୍ରହଣକୁ ବିରୋଧ କରି ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି ।

Advertisment

କଟକର ଐତିହାସିକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩ ହଜାର ବର୍ଗ ଫୁଟ ଜମିକୁ ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ରହିଛି । ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ବୋଲି ଦର୍ଶାଇ ଏହି ମାମଲା ରୁଜୁ କରାଯାଇଥିଲା ।

ଶିକ୍ଷାନୁଷ୍ଠାନ ଭଳି ଏକ ଅନୁଷ୍ଠାନର ଜମିକୁ ଏକ ନିର୍ଦ୍ଧିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନର ବିରୋଧାଚରଣ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ।

Advertisment

ଅନ୍ୟପକ୍ଷେ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଉଭୟ ପକ୍ଷଙ୍କୁ ଶୁଣିବା ପରେ ସବିଶେଷ ତଥ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବା ନେଇ ସୂଚନା ମିଳିଛି ।

Shailabala Women's Autonomous College HC Orissa
Advertisment
Advertisment