• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରାହି ତ୍ରାହି ଡାକିଲେଣି ଭକ୍ତ । ଶ୍ରୀମନ୍ଦିର ସେବାୟତ ବି ସରକାରଙ୍କ ଉପରେ ଝାଡ଼ିଲେଣି ଖୋଲା ଖୋଲି ଅସନ୍ତୋଷ । ଏହାରି ଭିତରେ ଚାରିଦ୍ୱାର ଖୋଲିବାକୁ ଦାବି ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଲାଣି । କଂଗ୍ରେସ ନଭେମ୍ୱର ୯ରେ ରାଜ୍ୟ ବ୍ୟାପୀ ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ କରିବ ବୋଲି ଆଜି ଘୋଷଣା କରିଛି । ଭକ୍ତଙ୍କ ସୁବିଧା ପାଇଁ ବିଜେପି ମଧ୍ୟ ଚାରି ଦ୍ୱାର ଖୋଲିବାକୁ ଦାବି କରିଛି। ଅନ୍ୟପଟେ ବିଜେଡି କହିଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ।

କେବେ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର? କାହିଁକି ସ୍ପଷ୍ଟତା ଆଣୁନାହାଁନ୍ତି ସରକାର ? ଭକ୍ତଠୁ ସେବାୟତ ସମସ୍ତଙ୍କ ଇଚ୍ଛା ଶୃଙ୍ଖଳିତ ଦର୍ଶନ ପାଇଁ ଚାରିଦ୍ୱାର ଖୋଲାଯାଉ । ମାତ୍ର ସରକାର ଚୁପ୍ , ଶ୍ରୀମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା । ଯାହାକୁ ନେଇ ଘନେଇଲାଣି ରାଜନୀତି । ବିରୋଧୀ ବି ଏହାକୁ ମୁଖ୍ୟ ଅସ୍ତ୍ର କଲେଣି । କଂଗ୍ରେସ ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ପ୍ରତିବାଦ କରିବ ବୋଲି ଆଜି ଘୋଷଣା କରିଛି ।

ସକାଳ ୯ଟାରୁ ୧୨ ଟା ଯାଏ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ସତ୍ୟାଗ୍ରହ ହେବ । କୋଟି କୋଟି ଜଗନ୍ନାଥ ପ୍ରେମୀ ଏଥିରେ ଯୋଗ ଦେବାକୁ ଦଳ ଆହ୍ୱାନ କରିଛି । ଗତ ଅକ୍ଟୋବର ୧୬ରେ କଂଗ୍ରେସ ବଡ଼ଦାଣ୍ଡରେ ପ୍ରତିବାଦ ରାଲି କରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଚାରିଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ପତ୍ର ଦେଇଥିଲେ । ୧୫ ଦିନ ବିତିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବାରୁ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ ଜରିଆରେ ସରକାରଙ୍କ ନିଦ ଭାଙ୍ଗିବାକୁ ଚେଷ୍ଟା କରିବ । ସେପଟେ ରତ୍ନଭଣ୍ଡାରକୁ ନେଇ ଥିବା ସନ୍ଦେହକୁ ସରକାର କାହିଁକି ଦୂର କରୁନାହାଁନ୍ତି ବୋଲି ବିଜେପି ପ୍ରଶ୍ନ କରିବା ସହ ଚାରିଦ୍ୱାରକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଉ ବୋଲି ଦଳ ପୁଣିଥରେ ଦାବି କରିଛି । ବିଜେଡିର ଉତ୍ତର ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଠିକ୍ ସମୟରେ ଏନେଇ ନିଷ୍ପତ୍ତି ନେବେ ।

କରୋନା କାଳରେ ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ ଲାଗି ନିଷ୍ପତ୍ତି ହୋଇଥିଲା । ଏବେ କୋଭିଡ୍ ସ୍ଥିତି ନଥିଲେ ବି କାହିଁକି ଚାରିଦ୍ୱାର ଖୋଲାଯାଉନାହିଁ ତାକୁ ନେଇ ଉଭୟ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମନରେ ପ୍ରଶ୍ନ । ସିଂହଦ୍ୱାରରୁ ଲମ୍ୱା ଧାଡିରେ ଖରା ତରାରେ ଅପେକ୍ଷା କରି ରହୁଛନ୍ତି ଭକ୍ତ । ଅପରପକ୍ଷେ ଧର୍ମମାସ କାର୍ତ୍ତିକ ଆରମ୍ଭ ହୋଇଥିବାରୁ ଲକ୍ଷ ଲକ୍ଷ ହବିଷ୍ୟାଳୀ ଏବେ ପୁରୀରେ । ବରିଷ୍ଠ ସେବାୟତ ବି ପ୍ରବଳ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, କିଛି ପ୍ରଶାସନିକ ଅଧିକାରୀଙ୍କ ଅଦୂରଦର୍ଶିତା ନିଷ୍ପତ୍ତି ପାଇଁ ଏଭଳି ଦହଗଞ୍ଜ ହେଉଛନ୍ତି ଭକ୍ତ ।

ବିଶୃଙ୍ଖଳିତ ଦର୍ଶନ ଲାଗି ଗୋଟିଏ ପଟେ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଲାଣି । ତେଣେ ରାଜନୈତିକ ଦଳର ଶାଣିତ ପ୍ରତିବାଦ ବି ଜାରି ରହିଛି । ଏସବୁ ଭିତରେ ଚାରିଦ୍ୱାର କେବେ ଖୋଲୁଛି ତାକୁ ଅପେକ୍ଷା ।

  • Reported by:
  • MADHUSUDAN MISHRA , JAGDISH DAS , SOUMYA RANJAN SAHOO