• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସରକାରୀ ବାବୁଙ୍କ ବେପରୁଆ ମନୋଭାବ କି ଭୁଲ୍ ନିଷ୍ପତ୍ତି । କାରଣ ଯାହାବି ହେଉ, ଏଲ-ଏଣ୍ଡ-ଟି ଭଳି ଏକ ଘରୋଇ କଂପାନୀକୁ ସରକାର ଦେବେ ଶହେ କୋଟି ଟଙ୍କା । ୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି । ସୁଧମୂଳ ସହ ଏବେ ଏତେ ଟଙ୍କା ଗଣାହେବ ରାଜ୍ୟ ରାଜ୍ୟକୋଷରୁ । ଗତକାଲି କ୍ୟାବିନେଟ୍‌ରେ ଏଥିପାଇଁ ଆସିଥିବା ପ୍ରସ୍ତାବକୁ ମୋହର ପରେ ତେଜିଛି ରାଜନୀତି । କଂଗ୍ରେସ କହିଛି ୟା ପଛରେ ବି ହୋଇଛି ବଡ଼ ଡିଲ୍ ।

୨୦ କୋଟି ଦେଲେନି, ଏବେ ୧୦୦ କୋଟି ତଣ୍ଡ ଗଣିବେ । ଏଲ-ଏଣ୍ଡ-ଟି ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ବାବୁଙ୍କ ଅବହେଳା ପାଇଁ ସରକାରୀ ତହବିଲରୁ ଗଣା ହେବ ଏତେ ଟଙ୍କା । ଗତ ୨୦ ବର୍ଷ ଧରି ଏଲ-ଏଣ୍ଡ-ଟି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ପୂର୍ଣ୍ଣଛେଦ । କଂପାନୀଙ୍କୁ ଟଙ୍କା ପୈଠ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ଗତକାଲି ମୋହର ମାରିଛି କ୍ୟାବିନେଟ୍ ।

୨୦୦୨ ଜାନୁଆରୀ ୧୭ରେ ଆର୍ବିଟେସନ ଟ୍ରିବ୍ୟୁନାଲ ଆଦେଶକୁ ଅନୁପାଳନ କରି ନଥିବାରୁ ଏବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଲାର୍ସନ ଏଣ୍ଡ ଟର୍ବୋ ଲିମିଟେଡକୁ ୧୦୦ କୋଟି ୬ ଲକ୍ଷ ୪୨ ହଜାର ୪୬୬ ଟଙ୍କା ଦେବାକୁ ହୋଇଛି ସରକାରୀ ନିଷ୍ପତ୍ତି । ସମ୍ବଲପୁର-ରାଉରକେଲା ରାସ୍ତା ନିର୍ମାଣ ପାଇଁ ଠିକା ନେଇ ନିର୍ଦ୍ଦାରିତ ସମୟରେ କାମ ସାରିଦେଇଥିଲା ସଂପୃକ୍ତ ଠିକା ସଂସ୍ଥା । ହେଲେ କୌଣସି ଆପତ୍ତି ଉଠାଇ ଚୁକ୍ତି ଅନୁଯାୟୀ ୨୦ କୋଟି ଟଙ୍କା ଦେଲେ ନାହିଁ ସରକାର । ଯାହାକୁ ବିରୋଧ କରି କଂପାନୀ କୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ୨୦୦୨ରେ ଟଙ୍କା ପୈଠ ପାଇଁ ରାଜ୍ୟ ସରକାରଙ୍କୁ ଆସିଥିଲା ନିର୍ଦ୍ଦେଶ । ହେଲେ ତାକୁ ବି ନମାନି ହାଇକୋର୍ଟଙ୍କ ପରେ ସରକାର ସୁପ୍ରିମକୋର୍ଟ ଗଲେ ଓ ସେଠି ମାମଲା ହାରିଗଲେ ।

 

ଶେଷରେ ସୁଧମୂଳ ମିଶାଇ ୧୦୦ କୋଟି ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ସେ ନିର୍ଦ୍ଦେଶ ବି ଅନୁପାଳନ ନହେବାରୁ ଶେଷରେ ଗତ ଜୁଲାଇ ୨୧ରେ ନିର୍ମାଣ ସୌଧରେ ପୋଲିସ ଧରି ପଶିଥିଲା କଂପାନୀ । ବିଭିନ୍ନ ସରକାରୀ ଆସବାବପତ୍ର  ଜବତ କରିଥିଲା ଏଲ-ଆଣ୍ଡ-ଟି ।

ତେବେ ଏଠି ପ୍ରଶ୍ନ କାହିଁକି ଯଦି ସରକାର ସେଇ ନିଷ୍ପତ୍ତି ନେଲେ, ତାହେଲେ ଏତେ ବିଳମ୍ବ କଲେ କାହିଁକି ? ପ୍ରଶାସନିକ ଅବହେଳା ପାଇଁ କାହିଁକି ସରକାରୀ ତହବିଲରୁ ଗଣା ହେବ ୧୦୦ କୋଟି ଟଙ୍କା ?  ବଡ଼ କଥା ହେଲା ଘଟଣା ସାମ୍ନାକୁ ଆସିବା ପରେ ୟା ପଛର ଅବହେଳାକାରୀ ସରକାରୀ ବାବୁଙ୍କ ଉପରେ ଆକ୍ସନ ବଦଳରେ କାନ ମୁଣ୍ଡ ଆଉଁସି ଟଙ୍କା ପୈଠ ପାଇଁ କାହିଁକି ନେଲେ ନିଷ୍ପତ୍ତି ? ଯାହାକୁ ନେଇ ସରକାରଙ୍କୁ ବିରୋଧୀ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି । ବିଜେପି କହିଛି ଲୋକଙ୍କ ପଇସାର ଅପଚୟ ହେଉଛି, ତେଣୁ ସଂପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । ତେଣେ କଂଗ୍ରେସର ଦାବି ଏଥିରେ ବି ହୋଇଛି ଏକ ବଡ଼ ଧରଣର ଡିଲ୍।