• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କମିଲା ତେଲ ଦର, ଖସିଲା ଦରଦାମ୍। ସାଧାରଣ ଲୋକଙ୍କୁ ମିଳିଲା ଆଶ୍ୱସ୍ତି। ପେଟ୍ରୋଲ, ଡିଜେଲ୍ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବାପରେ ଆଜିଠୁ କମିଛି ତେଲ ଦର। କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୮ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ କମାଇଛନ୍ତି। ଏହା ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୩୧ ପଇସା ଖସି ପହଞ୍ଚିଛି ୧୦୩ଟଙ୍କା ୩୭ ପଇସାରେ। ସେହିପରି ଡିଜେଲ୍ ଲିଟର ପିଛା ୭ଟଙ୍କା ୪୯ ପଇସା ହ୍ରାସ ପାଇ ୯୪ ଟଙ୍କା ୮୬ ପଇସା ହୋଇଛି।

ରାଉରକେଲାରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୨୯ ପଇସା ରହିଥିବୋଳେ ଡିଜେଲ ରହିଛି ୯୫ ଟଙ୍କା ୮୩ ପଇସା। ସେପଟେ ମାଲକାନଗିରିରେ ପେଟ୍ରୋଲ ୧୦୮ ଟଙ୍କା ୭୩ ପଇସା ଓ ଡିଜେଲ୍  ୧୦୦ ଟଙ୍କା ୧୨ ପଇସା ରହିଛି। ଅନ୍ୟପଟେ ବାଲେଶ୍ୱରରେ ପେଟ୍ରୋଲ ୧୦୩ଟଙ୍କା ୧୩ ପଇସାରେ ଥିବା ବେଳେ ଡିଜେଲ୍ ରହିଛି ୯୪ ଟଙ୍କା ୭୩ ପଇସା। ଦର କମିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।  

କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ସ୍ବତଃପ୍ରବୃତ ଭାବେ କମିଛି ରାଜ୍ୟର ଭାଟ୍। ପେଟ୍ରୋଲ ଉପରେ କେନ୍ଦ୍ର ଉତ୍ପାଦ ଶୁଳ୍କ ବାବଦକୁ ୮ଟଙ୍କା କମାଇଥିବେଳେ ଭାଟ୍ ବାବାଦକୁ ରାଜ୍ୟର ଟିକସ ୧ଟଙ୍କା ୩୧ ପଇସା କମିଯାଇଛି। ଠିକ୍ ସେଭଳି ଡିଜେଲ୍‌ରେ ଲିଟର ପିଛା କେନ୍ଦ୍ର ୬ଟଙ୍କା କମାଇଥିବବେଳେ ରାଜ୍ୟର ଟ୍ୟାକ୍ସ ବାବାଦକୁ ୧ଟଙ୍କା ୪୯ ପଇସା କମିଛି। 

ଏବେ ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବାଦକୁ ୧୯ ଟଙ୍କା ୯୦ ପଇସା ଓ ରାଜ୍ୟ ଭାଟ୍ ବାବାଦକୁ ୨୨ଟଙ୍କା ୫୯ ପଇସା ନେଉଛନ୍ତି। ଆଉ ଡିଜେଲ୍ ଉପରେ କେନ୍ଦ୍ର ସରକାର ୧୫ଟଙ୍କା ୮୦ ପଇସା ଓ ରାଜ୍ୟ ୧୭ ଟଙ୍କା ୮୫ ପଇସା ଟିକସ ନେଉଛି। ସେପଟେ ତୈଳଦର ହ୍ରାସର ପ୍ରଭାବ ଦରଦାମ ଉପରେ ପଡିଛି। 

ସେପଟେ କେନ୍ଦ୍ର ସରକାର ତେଲ ଦର କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇବାକୁ ଦାବି ଜୋରଦାର ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟୁଇଟ କରି ଭାଟ୍ ହ୍ରାସ କରିବାକୁ ଦାବି କରିଥିବାବେଳେ ଦଳ ପକ୍ଷରୁ ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି ଦୋହାରାଯାଇଛି। ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଭାଟ କମାଇବାକୁ ଦାବି କରିଛନ୍ତି।

ଅପରପକ୍ଷରେ କଂଗ୍ରେସ ମଧ୍ୟ ଠିକ୍ ଏହି ଦାବି ଦୋହରେଇଛି ବିଜେଡି କହିଛି- ପେଟ୍ରୋଲ ଡିଜେଲ୍ ଟିକସ ରାଜ୍ୟ ରିସୋର୍ସ ବେସ୍‌ର ପ୍ରମୁଖ ଅଂଶ। ତେଣୁ ଏହା ଉପରେ ଅନୁଧ୍ୟାନ କଲା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବାପରେ ଗତ ନଭେମ୍ବର ମାସରେ ରାଜ୍ୟ ସରକାର ଉଭୟେ ପେଟ୍ରୋଲ ଓ ଡିଜେଲ୍‌ରେ ଲିଟର ପିଛା ୩ଟଙ୍କା କମ କରିଥିଲେ।