• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମନ୍ଦିର ରୂପାନ୍ତରୀକରଣ ପରେ ଏବେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଅନ୍ ଲାଇନ୍ ଦର୍ଶନ ସେବା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଇନ୍ ବିଭାଗ ଖୁବ ଶୀଘ୍ର ଏକ ପୋର୍ଟାଲ ଲୋକାର୍ପିତ କରିବ, ଯେଉଁଥିରେ ଦେଶ ତଥା ଦେଶ ବାହାରର ଶ୍ରଦ୍ଧାଳୁ ଘରେ ବସି ଦେବାଦେବୀ ପୀଠର ଦର୍ଶନ ପାଇପାରିବେ । ଏଥିପାଇଁ ଅନ୍‌ଲାଇନ୍ ଦେୟ ଦେବେ ଭକ୍ତ । ତେବେ ଏହି ବ୍ୟବସ୍ଥା ଲାଗୁ ପୂର୍ବରୁ ସେବାୟତଙ୍କ ସହ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ସେବାୟତ । ସେହିଭଳି ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଏଭଳି ବ୍ୟବସ୍ଥା ଉପଯୋଗୀ ନୁହେଁ ବୋଲି କହିଛନ୍ତି ଗବେଷକ ।

ଅନ୍‌ଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି । ଗତ ୬ ତାରିଖରେ ଆଇନ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି ଲେଖାଯାଇ ମତାମତ ଲୋଡ଼ାଯାଇଛି । ଇଣ୍ଟିଗ୍ରେଟେଡ ଟେମ୍ପୁଲ ମ୍ୟାନେଜମେଣ୍ଟ ସିଷ୍ଟମ ଅଧୀନରେ ଆଇନ ବିଭାଗ ଏକ ପୋର୍ଟାଲ କରିବାକୁ ଯାଉଛି ।

ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପୋର୍ଟାଲ ତିଆରି ହେବ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଘରେ ବସି ଏହି ପୋର୍ଟାଲରୁ ବିଭିନ୍ନ ମନ୍ଦିର ସମ୍ପର୍କରେ ତଥ୍ୟ ପାଇପାରିବେ । ଏହାସହ ସ୍ଲଟ୍ କିଣି ନୀତିକାନ୍ତିର ଦର୍ଶନ ମଧ୍ୟ କରିପାରିବେ । ଭୋଗରାଗ ସହ ସେବା ଲାଗି ବି ହୋଇପାରିବ । ଦାନ ଦକ୍ଷିଣା ଅନ୍‌ଲାଇନ୍‌ରେ ପଇଠ କରିବେ ଶ୍ରଦ୍ଧାଳୁ । ଏନେଇ ଆଇନ୍ ବିଭାଗ, ଦେବୋତ୍ତର କମିଶନ, ଏଏସ୍‌ଆଇ ଓ ଏନ୍‌ଆଇସି ମଧ୍ୟରେ ଦୁଇ ଥର ବୈଠକ ବସିସାରିଛି । ଯେଉଁଥିରେ ନିଷ୍ପତ୍ତି ହୋଇଛି ପ୍ରାଥମିକ ପର୍ଯ୍ୟାୟରେ ଦେବୋତ୍ତର ବିଭାଗ ୪ ରୁ ୫ଟି ବିବାଦ ମୁକ୍ତ ମନ୍ଦିରର ତାଲିକା ଦେବେ । ସେଠାରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ମନ୍ଦିରଗୁଡିକୁ ପୋର୍ଟାଲରେ ଯୋଡାଯିବ । 

 

କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟ ଆଦି ରାଜ୍ୟରେ ଶ୍ରଦ୍ଧାଳୁମାନେ ଅନ୍‌ଲାଇନ୍‌ରେ ବିଭିନ୍ନ ଦେବାଳୟର ଦର୍ଶନ ପାଇପାରୁଛନ୍ତି । ଦେଶ ବିଦେଶର ଅନେକ ଶ୍ରଦ୍ଧାଳୁ ଦାନ ଦେଉଥିବାରୁ ରାଜସ୍ୱ ମଧ୍ୟ ବୃଦ୍ଧି ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଏହି ପୋର୍ଟାଲକୁ ଏନ୍‌ଆଇସି ପ୍ରସ୍ତୁତ କରୁଛି ।

ତେବେ ଅନ୍‌ଲାଇନ୍ ଦର୍ଶନ ଲାଗି ଅନେକ ଚାଲେଞ୍ଜ ରହିବ । ଶ୍ରୀମନ୍ଦିର, ଶ୍ରୀ ଲିଙ୍ଗରାଜ ଭଳି ମନ୍ଦିର ଗୁଡିକରେ କ୍ୟାମେରା ବାରଣ ରହିଛି । ଏହାସହ ଗୁପ୍ତ ନୀତି ମଧ୍ୟ ରହିଛି । ଏଥିଲାଗି ଏସବୁ ମନ୍ଦିରରେ ଅନ୍‌ଲାଇନ୍‌ ଦର୍ଶନ ସମୀଚୀନ ନୁହେଁ ବୋଲି କହିଛି ସଂସ୍କୃତି ଗବେଷକ । ଅନ୍ୟପକ୍ଷରେ ଯେଉଁଠି କ୍ୟାମେରା ବାରଣ ନାହିଁ କି ଅଧିକ ନୀତିକାନ୍ତି ନାହିଁ, ସେଠାରେ ଅନ୍‌ଲାଇନ୍‌ ଦର୍ଶନ ସୁବିଧା ଶ୍ରଦ୍ଧାଳୁଙ୍କୁ ଯୋଗାଇ ଦିଆଯାଇପାରିବ । ତେବେ ଅନ୍‌ଲାଇନ୍‌ ଦର୍ଶନ ବ୍ୟବସ୍ଥା ଲାଗୁ ପୂର୍ବରୁ ସେବାୟତଙ୍କ ସହ ସରକାର ଆଲୋଚନା କରନ୍ତୁ ବୋଲି କହିଛନ୍ତି ସେବାୟତ ।

ରାଜସ୍ୱ ବୃଦ୍ଧି ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅନ୍ୟ ରାଜ୍ୟର ଫର୍ମୁଲାକୁ ଆପଣାଇଛନ୍ତି ସରକାର । ଏହି ଅନ୍‌ଲାଇନ୍ ଦର୍ଶନ ସେବା କେଉଁ କେଉଁ ମନ୍ଦିରରେ ଆରମ୍ଭ ହେଉଛି ଓ କାର୍ଯ୍ୟକାରିତା କେତେ ଶୀଘ୍ର ହେଉଛି ତାଉପରେ ନଜର ରହିଛି ।

ରିପୋର୍ଟର- ପୁରୀରୁ ମଧୁସୂଦନ ମିଶ୍ର ଓ ଭୁବନେଶ୍ୱରରୁ ଜଗଦୀଶ ଦାସ