• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସିଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ତ କିଏ ଘରକୁ ଫେରୁଥିଲେ ଖୁସି ମନରେ, ତ ଆଉ କିଏ ବେପାର ଆଶାରେ କୋଲକାତାରୁ ଫେରୁଥିଲେ ପସରା ଧରି । ରାତି ପାହିଥିଲେ ଯିଏ ଯାହା ବାଟରେ ପହଞ୍ଚିଯାଇଥାନ୍ତେ । କିନ୍ତୁ ଦୁର୍ଭାଗ୍ୟ, ସର୍ବଗିଳା ନିଆଁ କେଉଁଠି ଲୁଚିଥିଲା କେଜାଣି, ହଠାତ୍ ବ୍ୟାପିଯାଇଥିଲା ବସରେ । ଯେଉଁଥିରେ କେନ୍ଦ୍ରାପଡ଼ାର ଜଣେ ମହିଳା ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବାବେଳେ ମରଣମୁହଁରୁ ଫେରିଆସିଥିଲେ ବସର ଅନ୍ୟ ସମସ୍ତ ଯାତ୍ରୀ ।

କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ । ଗତ ସଂଧ୍ୟାରେ ଯିଏ କହୁଥିଲା, ରାତି ନପାହୁଣୁ ଘରେ ପହଞ୍ଚିଯିବୁ, ଘରେ ଦୀପ ଜାଳି ଖୁସି ମନାଇବୁ, ଆଜି କିନ୍ତୁ ଲିଭିଯାଇଛି ସେହି ମଣିଷର ଜୀବନ ଦୀପ । ଶୋକଗ୍ରସ୍ତ ସାରା ପରିବାର..ନିସ୍ତବ୍ଧ ସାରା ଗାଁ । ଗତରାତିରେ ଜଳିଯାଇଥିବା ଚଳନ୍ତା ବସରେ ବୋହୂର ଜୀବନ ଯିବା ପରଠୁ ଭାଙ୍ଗିପଡ଼ିଛି କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ନୀଳାଦ୍ରିପୁର ଏହି ପରିବାର । ଯାହାଙ୍କ ନାଁ ପୁଷ୍ପାଞ୍ଜଳି ଦାସ । ସ୍ୱାମୀ ଓ ପୁଅର ଆଖି ସାମ୍ନାରେ ଚାଲିଯାଇଛି ତାଙ୍କ ଜୀବନ।

ସମୟ ସଂଧ୍ୟା ପ୍ରାୟ ସାଢ଼େ ୬ଟା । କୋଲକାତା ବାବୁଘାଟରୁ ୩୧ ଓଡ଼ିଆଙ୍କ ସହ ୩୮ ଯାତ୍ରୀଙ୍କୁ ଧରି ପାରାଦୀପ ବାହାରିଥିଲା ଶିଭମ୍ ବସ୍ । ବାବୁଘାଟରୁ ପ୍ରାୟ ଶହେ କିଲୋମିଟର ଅତିକ୍ରମ ବି କରିସାରିଥିଲା । କିନ୍ତୁ ରାତି ପ୍ରାୟ ସାଢ଼େ ୯ଟାବେଳକୁ ଖଡଗପୁର ମାଧପୁରରେ ପହଞ୍ଚିବା କ୍ଷଣି ହଠାତ୍ ଡ୍ରାଇଭରଙ୍କ ସିଟ୍ ପାଖ ଇଞ୍ଜିନରୁ ବାହାରିଥିଲା ନିଆଁ ସହ ଧୂଆଁ । ଏହାଦେଖି ବସର ୩ ଓ ୪ ନମ୍ବର ସିଟରେ ପୁଅ ଓ ସ୍ୱାମୀ ସହ ବସିଥିବା ପୁଷ୍ପାଞ୍ଜଳି ନିଜ ବୋତଲରୁ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା ।

ନିଆଁର ଭୟାବହତା ଦେଖି ଯିଏ ଯେମିତି ପାରିଲେ ଝରକା କାଚ ଭାଙ୍ଗି ବାହାରିଗଲେ। ଏପରିକି ଡ୍ରାଇଭର ଓ ହେଲପର ବି ଖସି ପଳାଇଥିଲେ। ତାହାରି ଭିତରେ ସ୍ୱାମୀ ଓ ପୁଅ ବସରୁ ବାହାରିଯାଇଥିଲେ ବି ଜଣେ ମହିଳା ଓ ବୃଦ୍ଧଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ପୁଷ୍ପାଞ୍ଜଳି । କିନ୍ତୁ ଦୁର୍ଯୋଗକୁ ମେନ୍ ଗେଟ୍ ଲକ୍ ଥିବାରୁ ପୁଷ୍ପାଞ୍ଜଳି ଆଉ ବାହାରିପାରିନଥିଲେ । ଶେଷରେ ବସ୍ ଭିତରେ ଧୁଆଁ ଓ ନିଆଁରେ ପୁଷ୍ପାଞ୍ଜଳି ଜୀବନ୍ତ ଜଳିଯାଇଥିବା କହିଛନ୍ତି ତାଙ୍କ ସ୍ୱାମୀ ।

ବସରେ ଥିଲେ କେନ୍ଦ୍ରାପଡାର ୧୬, ଯାଜପୁରର ୭ ଓ ପାରାଦୀପ ଅଞ୍ଚଳର ୨ ଯାତ୍ରୀ । କୁହାଯାଉଛି, ଦୀପାବଳି ଥିବାରୁ କିଛି ବେପାରୀ ଏହି ବସରେ ବାଣ ସହ ମହମବତୀ ଆଣୁଥିଲେ । ତେଣୁ କୌଣସି କାରଣ ବଶତଃ ବସରେ ଲାଗିଥିବା ନିଆଁ ଏସବୁ ସାମଗ୍ରୀ ସଂସ୍ପର୍ଶରେ ଆସି ଅଣାୟତ୍ତ ହୋଇଥିଲା । ତେବେ ପଶ୍ଚିମବଙ୍ଗ ମାଲିକଙ୍କ ଏହି ଯାତ୍ରୀବାହୀ ବସରେ କେମିତି ପରିବହନ ହେଉଥିଲା ବିସ୍ଫୋରକ ସାମଗ୍ରୀ ? କାହିଁକି ଯାତ୍ରୀଙ୍କୁ ଛାଡ଼ି ଖସିଗଲେ ବସର ଡ୍ରାଇଭର ଓ ହେଲପର ? ସେନେଇ ନାନା ଚର୍ଚ୍ଚା ଲାଗିରହିଥିବାବେଳେ ଖଡ଼ଗପୁର ବିଧାୟକ କହିଛନ୍ତି, ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

ସେ ଯାହା ବି ହେଉ, ସୌଭାଗ୍ୟକୁ ପ୍ରାୟ ୩୦ ଓଡ଼ିଆ ଯାତ୍ରୀଙ୍କ ଜୀବନ ଆଜି ସୁରକ୍ଷିତ ଫେରିଛି ସତ, କିନ୍ତୁ ଅଗ୍ନିକାଣ୍ଡର ଭୟାବହତା ଭିତରେ ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ପୁଷ୍ପାଞ୍ଜଳି ଆରପାରିକୁ ଚାଲିଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।