• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଛୁଳା ନଈ, ତା ଉପରେ ଡଙ୍ଗା । ଆଉ ତା’ ଭରସାରେ ଚାଲିଛି ଯାତ୍ରା । ପ୍ରତିଦିନ ଏପରି ହଜାର ହଜାର ଲୋକେ ଡଙ୍ଗାରେ ନଦୀ ପାର ହେଉଛନ୍ତି । ଏଭଳି ବିପଦଜନକ ଯାତାୟତ ବ୍ୟତୀତ ଅନ୍ୟ କୌଣସି ଉପାୟ ବି ନାହିଁ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ଗଙ୍ଗାଧରପ୍ରସାଦ ଡିଆଁ ଗାଁର ଲୋକେ ସବୁଦିନ ଏପରି ହଇରାଣ ହେଉଛନ୍ତି ।

ବ୍ଲକ ହେଡକ୍ୱାଟର ସହ ଗାଁକୁ ସଂଯୋଗ କରିବାକୁ ନଦୀ ପାର କରିବାକୁ ପଡ଼େ । ୩ ହଜାରରୁ ଅଧିକ ଲୋକେ ଏହି ଗାଁରେ ରୁହନ୍ତି । ଖରସ୍ରୋତା ନଦୀ ଏହି ଗାଁକୁ ଚାରିପଟେ ଘେରି ରହିଛି । ବଜାରଠୁ ଆନୁସଙ୍ଗିକ କାର୍ଯ୍ୟ, ଶିକ୍ଷାନୁଷ୍ଠାନଠୁ ମେଡିକାଲ୍ ସବୁକିଛି ପାଇଁ ଆାରପଟକୁ ଯିବାକୁ ହୁଏ । ହେଲେ ଏତେ ବଡ଼ ନଦୀ ପାର ହେବାକୁ ଭରସା କେବଳ ଡଙ୍ଗା । ଦେଶ ସ୍ୱାଧୀନ ହେବା ପରଠୁ ଲୋକେ ନଦୀ ଉପରେ ବ୍ରିଜ୍ ପାଇଁ ଦାବି କଲେଣି । ହେଲେ ଫଳ ଶୂନ ।

ଅଧିକ ପଢ଼ନ୍ତୁ: ଦୁଇ ଥରରେ ଆସିଲା ୬୦ ଲକ୍ଷ, ତଥାପି ବ୍ରିଜ୍‌ କାମ୍‌ ଶେଷହେଲାନି, ଏବେ କାଠ ପୋଲ ହିଁ ଭରସା

ଖରା ଦିନ ହେଉ ଅବା ବର୍ଷା ଏମିତି ଉଛୁଳା ନଦୀକୁ ପାର ହୁଅନ୍ତି ଲୋକେ । କୌଣସି ଗୁରୁତର ରୋଗୀ କିମ୍ବା ଜରୁରୀ କାମ ବେଳେ ଲୋକଙ୍କ ସମସ୍ୟା ବଢ଼ିଯାଏ । ବହୁବାର ଡଙ୍ଗାରେ ଯାତ୍ରା ବେଳେ ଛୋଟ ବଡ଼ ଅଘଟଣ ଘଟିଛି । ତଥାପି ଚେତୁନି ପ୍ରଶାସନ । ବନ୍ୟା ହେଲେ ସବୁଠୁ ଅଧିକ କ୍ଷତିଗସ୍ତ ହୁଏ ଗାଁ । ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼େ ।

ଏ ସମସ୍ୟା ସମ୍ପର୍କରେ  କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସରକାରଙ୍କ ଥିବା ବିଭିନ୍ନ ପୋଲ ନିର୍ମାଣ ଯୋଜନାରେ ଏହାକୁ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ପ୍ରତି ଥର ନିର୍ବାଚନ ବେଳେ ବ୍ରିଜ୍ ପାଇଁ ପ୍ରତିଶ୍ରୁତି ମିଳେ । ହେଲେ ନିର୍ବାଚନ ପରେ ପାଣିର ଗାର ପାଲଟି ଯାଏ ।