ଚିନ୍ତା ବଢ଼ାଇଲା କଳା ବାଘ; ଏଣିକି ଓଡ଼ିଶାରେ ପ୍ରତି ବର୍ଷ ହେବ ବାଘ ଗଣନା... 

ଚିନ୍ତା ବଢ଼ାଇଲା କଳା ବାଘ । ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ରଖାଯିବ ନଜର। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଦେଲେ ସୂଚନା । 

Tiger census every year

ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ଗତକାଲି ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି। 

ଅଧିକ ପଢ଼ନ୍ତୁ: କଳାବାଘ ସଫାରୀ ନାଁରେ ଭୁଆଁ ବୁଲାଉଛନ୍ତି କି ସରକାର?

ତେବେ ଚିନ୍ତା ବଢ଼ାଉଛି କଳା ବାଘ ବଂଶ ବୃଦ୍ଧି। ଶିମିଳିପାଳରେ ଏବେ ଅଛନ୍ତି ୧୩ କଳା ବାଘ । ଇନ୍ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍। ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା ହୋଇଛି । ଏଥିପାଇଁ NTCA ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି ।

ସାତକୋଶିଆରେ ନାହାନ୍ତି ଗୋଟିଏ ବି ମହାବଳ। ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବା ସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡାଯିବା ନେଇ ଯୋଜନା କରାଯିବ । ଶିମିଳିପାଳରେ ବାଘ ସଂଖ୍ୟା ବଢିବା ପରେ ଏବେ ନୂଆ ଟେରିଟରି ସନ୍ଧାନରେ ମହାବଳ । ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡ଼ିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୂଚନା ଦେଇଛନ୍ତି ।