ଅକ୍ଷୟ ତୃତୀୟା। ଅନୁକୂଳର ମହାପର୍ବ। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ପର୍ବଟି। ବିଶେଷ କରି ଓଡିଶାରେ ଏହି ଦିନଟିର ବିଶେଷ ମହାତ୍ମ୍ୟ ରହିଛି। ଓଡ଼ିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ସରକାରୀସ୍ତରରେ ଆଜିର ଦିନକୁ ‘କୃଷକ ଦିବସ’ ରୂପେ ପାଳନ କରାଯାଏ। ଆଜିଠାରୁ ହିଁ କୃଷିଭିତ୍ତିକ କାମର ମୂଳଦୁଆ ପଡିଥାଏ। ଅଖି ମୁଠି ଅନୁକୂଳ ପୂର୍ବକ ଚାଷୀମାନେ ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିଥାନ୍ତି। ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି।
ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। ମୁଖ୍ୟତଃ ଗୃହିଣୀମାନେ ଘରକୁ ଲିପାପୋଛା କରିବା ସହ ଚିତା ପକାଇ ସଜାଇ ଥାଆନ୍ତି। ହଳଦୀ, ଚନ୍ଦନ, ସିନ୍ଦୂର ଲଗାଇ ଧାନ ବିହନପୂର୍ଣ୍ଣ ନୂଆ ଗଉଣି ଓ ଟୋକେଇକୁ ପାଟବସ୍ତ୍ରରେ ସଜାଇ ଦିଅନ୍ତି। ସେହିଭଳି ଲଙ୍ଗଳକୁ ମଧ୍ୟ ଝୋଟିରେ ସଜାଇ ଦିଆଯାଏ। ଏହା ପରେ ଶଙ୍ଖ ବଜାଇ ଓ ହୁଳହୁଳି ପକାଇ ଗୃହିଣୀମାନେ ଲଙ୍ଗଳ ଧରିଥିବା କୃଷକକୁ ଜମି ଅଭିମୁଖେ ପ୍ରେରିତ କରିଥାନ୍ତି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ। ମୁଠାମୁଠା ହଳଦୀ, ଚନ୍ଦନ ବୋଳା ଧାନ ବିହନକୁ ଜମିରେ ବୁଣେ। ଆଜିର ଅଖିମୁଠି ଅନୁକୂଳ ପରେ ଆରମ୍ଭ ହୁଏ ଚାଷର ମହାପର୍ବ।
ସବୁ କାମର ଅନୁକୂଳ ପାଇଁ ଅକ୍ଷୟ ତୃତୀୟା ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ଗୃହନିର୍ମାଣ, ଗୃହ ପ୍ରବେଶ, ନିର୍ବନ୍ଧ, ବିବାହ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ। ଏହି ତିଥି କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହୋଇଥିବାରୁ କୌଣସି କାମ ଆରମ୍ଭ କଲେ ମହାଫଳ ପ୍ରାପ୍ତି ହୁଏ। ଆଜିର ଦିନରେ ଦାନ କଲେ ମହାପୁଣ୍ୟ ମିଳେ ବୋଲି ଲୋକକଥା ରହିଛି।
ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ବଡ଼ ଶୁଭଦିନ ରୂପେ ବର୍ଣ୍ଣନା କରାଯାଏ। ଧାର୍ମିକ ପରଂପରା ଅନୁସାରେ, ଅକ୍ଷୟ ତୃତୀୟାରେ ଓଡିଆଙ୍କ ଇଷ୍ଟଦେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଏହା ସହ ରଥଯାତ୍ରା ପାଇଁ ରଥ କାର୍ଯ୍ୟ ତଥା ରଥ କାଠର ଶୁଭ ଅନୁକୂଳ ହୋଇଥାଏ।