• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ ସଂଗ୍ରହାଳୟରୁ କୁଆଡେ ଗଲା ୨୦ ହଜାର ପୋଥି ? ଚୋରି ହୋଇଯାଉଛି କି ବହୁ ଦୁର୍ମୂଲ୍ୟ ଓ ଦୁର୍ଲଭ ତାଳପତ୍ର ପୋଥି? ୨୦୧୪ରେ ରାଜ୍ୟ ସଂଗ୍ରହାଳୟର ୱେବସାଇଟରେ ଦିଆଯାଇଥିବା ତଥ୍ୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସଂଗ୍ରହାଳୟରେ ପ୍ରାୟ ୪୦ ହଜାର ପୋଥି ସଂରକ୍ଷିତ ରହିଛି । 

ତେବେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଭିନ୍ନ କଥା କହୁଛି । ଏଥିରେ କୁହାଯାଇଛି ଯେ, ରାଜ୍ୟ ସଂଗ୍ରହାଳୟରେ ଶେଷ ଥର ପାଇଁ ୨୦୧୬-୧୭ରେ ଅଡିଟ୍ ହୋଇଥିଲା । ସଂଗ୍ରହାଳୟରେ ପ୍ରାୟ ୨୦ ହଜାର ତାଳପତ୍ର ପୋଥି ଓ ୫୦ ହଜାର କଳାକୃତି ଗଚ୍ଛିତ ରହିଛି । ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବଳକା ୨୦ ହଜାର ତାଳପତ୍ର ପୋଥି? 

୨୦୦୩ରେ ସାରା ଦେଶରେ ଜାତୀୟ ପୋଥି ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଓଡ଼ିଶା ରେ ୨୦୧୪ରେ ଉଦ୍‌ଘାଟିତ ହୋଇଥିଲା ଇ-ପୋଥି କାର୍ଯ୍ୟକ୍ରମ । ସେତେବେଳେ କୁହାଗଲା,ସାରା ବିଶ୍ୱରେ ଭୁବନେଶ୍ୱର ରେ ଅବସ୍ଥାପିତ ରାଜ୍ୟ ସଂଗ୍ରହାଳୟରେ ସର୍ବାଧିକ ତାଳପତ୍ର ପୋଥି ରହିଛି । ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ତଥା ଜାତୀୟ ପୋଥି ମିଶନର ପ୍ରଥମ ପ୍ରକଳ୍ପ ସଂଯୋଜକ ଥିଲେ ଡର ଚନ୍ଦ୍ରଭାନୁ ପଟେଲ ।

ରାଜ୍ୟ ସଂଗ୍ରହାଳୟରୁ ପ୍ରକାଶ ପାଉଥିବା ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲରେ ମଧ୍ୟ ସଂଗ୍ରହାଳୟର ରେକର୍ଡ ମୁତାବକ ୩୭ ହଜାର ୨୭୩ଟି ତାଳପତ୍ର ପୋଥି ରହିଥିବା ଉଲ୍ଲେଖ ରହିଛି । ପୋଥି ସଂଖ୍ୟାକୁ ନେଇ ୱେବସାଇଟ୍ ଓ ଜର୍ଣ୍ଣାଲରେ ଗୋଟିଏ ତଥ୍ୟ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା କମିଗଲା କିପରି? 

ରାଜ୍ୟ ସଂଗ୍ରହାଳୟରେ ତାଳପତ୍ର ପୋଥି ସଂଖ୍ୟା କମିବା ନେଇ ଓଟିଭି ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ ଓ ସଂଗ୍ରହାଳୟର ଅଧୀକ୍ଷକ ଡର ଭାଗ୍ୟଲିପି ମଲ୍ଲଙ୍କ ସାକ୍ଷାତ କରାଯାଇଥିଲା । ଅଧୀକ୍ଷକ ମଲ୍ଲ କହିଥିଲେ, ଗୋଟିଏ ଗୋଟିଏ ବଣ୍ଡଲରେ ଏକାଧିକ କାବ୍ୟକବିତା ରହିଛି । ତେଣୁ ସଂଖ୍ୟାରେ ଏତେ ପ୍ରଭେଦ ଦେଖାଦେଉଛି । ତେବେ ଏନେଇ କ୍ୟାମେରା ଆଗରେ ଉଭୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

(ରିପୋର୍ଟର- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ)