• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି କୋଟିଆରେ ଓଡ଼ିଶାର ବାଟ ଓଗାଳିଲା ଆନ୍ଧ୍ର । କୋଟିଆରେ ହେବାକୁ ଥିବା ଜଳବିଦ୍ୟୁତ ପ୍ରକଳ୍ପ ପାଇଁ କ୍ଷେତ୍ର ପରିଦର୍ଶନ ବେଳେ ଓଡ଼ିଶା ଟିମକୁ ଅଟକାଇଲେ ଆନ୍ଧ୍ରପ୍ରଦେଶ ସାଲୁରର ସିଆଇ । ଗତକାଲି ଘଟିଛି ଏହି ଘଟଣା । କୋଟିଆର ଯେଉଁ ସ୍ଥାନରେ ଆନ୍ଧ୍ର ୧୨୦୦ ମେଗାଓ୍ୱାଟର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ମାଗିଛି, ସେହି ସ୍ଥାନରେ ଓଡ଼ିଶା ମଧ୍ୟ ୨୨୦୦ ମେଗାଓ୍ୱାଟର ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଯୋଜନା କରିଛି ।

ଏହି ପ୍ରକଳ୍ପ ପାଇଁ ଓଏଚପିସି, ପ୍ରକଳ୍ପ କରିବାକୁ ଥିବା ଆଦାନୀ ଗ୍ରୁପ ଓ ସ୍ଥାନୀୟ ପ୍ରଶାସନର ଏକ ମିଳିତ ଟିମ୍ ଗତକାଲି ନାରେଡିବାଲସା ଓ ତାଡିବାଲସା, ଆରଜୁ ବାଲସା ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ତେବେ ନାରେଡିବାଲସାରେ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ସାଲୁର ସିଆଇ ଅଟକାଇଥିଲେ । ତାଙ୍କୁ ଏଡ଼ାଇ ଓଡ଼ିଶାର ଟିମ୍ ଆଗକୁ ଯାଉଥିବା ବେଳେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ଓଡ଼ିଶା ଟିମ୍ ପ୍ରକଳ୍ପ ପାଇଁ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଅନ୍ୟପକ୍ଷରେ ସାଲୁର ସିଆଇ ସେଠାରେ ଆନ୍ଧ୍ର ସରକାରଙ୍କ ସ୍ପନ୍ଦନ କାର୍ଯ୍ୟକ୍ରମ ଚଳାଇଥିଲେ । ସେପଟେ ପରେ ଓଡ଼ିଶା ଟିମ୍ କୋରାପୁଟ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିବା ଜଣାପଡିଛି ।

ସୂଚାନାଯୋଗ୍ୟ ଏହି ପ୍ରକଳ୍ପ ପାଇଁ ୬ ମାସ ପୂର୍ବରୁ ଆନ୍ଧ୍ର କ୍ଷେତ୍ର ପରିଦର୍ଶନ କରି ସାରିଥିବା ବେଳେ ଗତ ରବିବାର କ୍ଷେତ୍ର ପରିଦର୍ଶନ କରିଛି ଓଡ଼ିଶା । ଆନ୍ଧ୍ର ପକ୍ଷରୁ କୋଟିଆରେ ୧୨୦୦ ୱାଟର ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ପାଇଁ ଆନ୍ଧ୍ର ସରକାର ଓ ଆଦାନୀ ଗ୍ରୁପ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇ ସାରିଛି । ଏଥି ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ମଧ୍ୟ ଆନ୍ଧ୍ର କେନ୍ଦ୍ର ନିକଟରୁ ଅନୁମତି ମାଗିଛି । ଓଡ଼ିଶା ପକ୍ଷରୁ ହେବାକୁ ଥିବା ପ୍ରୋଜେକ୍ଟରେ ୨୨୦୦ ମେଗାୱାଟ୍‌ର ବିଦ୍ୟୁତ ଉତ୍ପନ୍ନ ହେବା ସହ ଏଥିନିମନ୍ତେ ୫୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ସୂଚନା ମିଳିଛି । ଓଡ଼ିଶା ପକ୍ଷରୁ ହେବାକୁ ଥିବା ପ୍ରୋଜେକ୍ଟକୁ ମଧ୍ୟ ଆଦାନୀ କରିବା ସହ ଟାଟା ବିଦ୍ୟୁତ୍‌ ସରବରାହ କରିବ ବୋଲି ସୂଚନା ମିଳିଛି ।

ସେପଟେ କୋରାପୁଟ ଜିଲ୍ଲାରେ ବନଜାତ ଦ୍ରବ୍ୟ କିଣିବା ଲାଗି ବିକ୍ରୟ କେନ୍ଦ୍ର ନଥିବାରୁ ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ବ୍ୟବସାୟୀ । କୋଟିଆ ଅଞ୍ଚଳର ବନଜାତ ଦ୍ରବ୍ୟକୁ କିଣିବାକୁ ଶନିବାର ଆନ୍ଧ୍ର ସମବାୟ ସମିତି କର୍ମକର୍ତ୍ତାମାନେ ପଞ୍ଚାୟତର ଧୂଳିପଦର ସମେତ ବିଭିନ୍ନ ଗାଁକୁ ଆସି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଝୁଣା , ଲାଖ , ତେନ୍ତୁଳି , ବାଉଁଶ , ଖଲି ପତ୍ର ସମେତ ୨୧ ପ୍ରକାର ସାମଗ୍ରୀକୁ ଉଚିତ୍ ମୂଲ୍ୟ ଦେଇ କିଣିବାକୁ ଗ୍ରାମବାସୀଙ୍କୁ ବୁଝାଇବା ସହ ସେମାନଙ୍କୁ ତାଲିମ ଦେଇ ଫେରିଛନ୍ତି । ସେପଟେ ଏ ନେଇ ଜିଲ୍ଲ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି ।