• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ବିଭିନ୍ନ ସ୍ଥାନରେ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗୁଛି । ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ(Forest fire) । ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ । ଏଣେ ଜଙ୍ଗଲ ନିଆଁ ରୋକିବାକୁ ପିସିସିଏଫ୍ ବି ହାତ ଟେକିଦେଲେଣି, କହିଛନ୍ତି କେବଳ ବର୍ଷା ହିଁ ଭରସା । ତେବେ ୯୩ ପ୍ରତିଶତ ଜଙ୍ଗଲ ନିଆଁ ଆୟତ୍ତ କରାଯାଇଥିବା କହୁଛନ୍ତି । ପରିବେଶବିତଙ୍କ ଉଦବେଗ ନିଆଁ ଲିଭାଇବା ନୁହେଁ ନିଆଁ କେମିତି ନଲାଗିବ ତାକୁ ପ୍ରାଥମିକତା ଦିଅନ୍ତୁ ସରକାର ।...

ସପ୍ତାହକ ଭିତରେ ରାଜ୍ୟରେ ୬୩୪ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ଦେଖିବାକୁ ମିଳିଛି । ଗଜପତିରୁ ନୟାଗଡ଼, ଭଞ୍ଜନଗରରୁ କୋରାପୁଟ। ସବୁଠି ଜଙ୍ଗଲ ଜଳୁଛି । କେଉଁଠି ନିଆଁ ଆୟତ୍ତ କରିବାକୁ ବନ କର୍ମଚାରୀ ନାକେଦମ୍ ତ’ ଆଉ କେଉଁଠି ବେକାବୁ । ଏଥିପାଇଁ ଉଭୟ ସରକାର ଓ ବନ ବିଭାଗର ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ଧୂଆଁରେ ସେମାନେ ଅଣନିଶ୍ବାସୀ ହୋଇଗଲେଣି । ତେବେ ବିଭିନ୍ନ ସ୍ଥାନରେ ବନ ବିଭାଗର ସଚେତନତା ଯେମିତି ବାହାଘର ବେଳେ ବାଇଗଣ ରୁଆ ସଦୃଶ ହୋଇଛି ।

ଏଣେ ପିସିସିଏଫ୍ କହିଛନ୍ତି, ଏବେ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ନିଆଁ ଲାଗିଛି । ଫେବ୍ରୁଆରୀରୁ ଅଦ୍ୟାବଧି ଯେତିକି ଜଙ୍ଗଲରେ ନିଆଁ ଲାଗିଛି, ସବୁ ମନୁଷ୍ୟକୃତ । ଏହାକୁ ରୋକିବାକୁ କେବଳ ବର୍ଷା ହିଁ ଭରସା । ଅକ୍ଟୋବର ପରଠୁ ରାଜ୍ୟରେ ଆଉ ବର୍ଷା ହୋଇନି । ବନ ବିଭାଗ ପ୍ରାୟ ୯୩ ପ୍ରତିଶତ ଜଙ୍ଗଲ ନିଆଁ ଲିଭାଇବାରେ ସଫଳ ହେଲାଣି । ତେବେ ପରିବେଶବିତଙ୍କ ଉଦବେଗ ଲୋକଙ୍କ ଅସାବଧାନତାରୁ ଜଙ୍ଗଲରେ ନିଆଁ ବ୍ୟାପୁଛି । ମହୁଲ ଫୁଲ ଗୋଟାଇବା ଓ

କେନ୍ଦୁପତ୍ର ତୋଳିବା ଉଦ୍ଦେଶ୍ୟରେ ବି ଜଙ୍ଗଲରେ ନିଆଁ ଲଗାଯାଉଛି । ଶିକାର ଓ ପୋଡ଼ୁଚାଷ ପଛରେ ବି ବନାଗ୍ନି ଅନ୍ୟତମ କାରଣ । ତେଣୁ ସରକାର ଜଙ୍ଗଲ ନିଆଁ ଲିଭାଇବା ନୁହେଁ, ବରଂ ଜଙ୍ଗଲ ନିଆଁ ନ ଲଗାଇବାକୁ ଗୁରୁତ୍ବ ଦେବା ଦରକାର । ଗ୍ରୀଷ୍ମ ପ୍ରକୋପ ଆରମ୍ଭ ନହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ଜଙ୍ଗଲ ନିଆଁ ସ୍ଥିତି । ବନ ବିଭାଗ ପକ୍ଷରୁ ଏବେଠୁ ସଠିକ୍ ପଦକ୍ଷେପ ଗ୍ରହଣ ନ କରାଗଲେ, ଆଗକୁ ପରିସ୍ଥିତି ଅଣାୟତ୍ତ ହେବା ନିଶ୍ଚିତ ।