/odishatv-khabar/media/post_attachments/uploadimage/library/16_9/16_9_0/Mining_1710165691.jpg)
Mining
ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ । ବ୍ରେକର୍ ଓ ଭାଇବ୍ରେଟର୍ ଲଗାଇ ରାତିଦିନ ପଥର କଟା ଚାଲିଥିବାରୁ କାହା ବାସଘରେ ଫାଟ ହେଲାଣି ତ କାହାର କୂଅ, ନଳକୂଅ ଶୁଖିବାକୁ ବସିଲାଣି ।
ଏବେ ଗ୍ରୀଷ୍ମଦିନ । ଆଗକୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଅଞ୍ଚଳରେ ବଡ଼ ଆନ୍ଦୋଳନ ଏବେ ଦାନା ବାନ୍ଧୁଛି । ଏତେ ଶବ୍ଦ ହେଉଛି ଯେ ଘରେ ରହିହେଉନି...ଏତେ ପ୍ରଦୂଷଣ ହେଉଛି ଯେ, ବାହାରକୁ ବି ଯାଇହେଉନି । ଖଣି ଖନନରେ କମ୍ପୁଛି ଗଗନ ପବନ, ଭାଙ୍ଗୁଛି ଘରଦ୍ୱାର । ଗୋଳିଆ ହୋଇଗଲାଣି ପାନୀୟ ଜଳ ।
ତେଣୁ ଆଉ ସହିହେବ ନାହିଁ...ଏବେ କେବଳ ଗୋଟିଏ ନିଷ୍ପତ୍ତି ‘ଭୋଟ୍ ବର୍ଜନ’ । ଏପରି ମତ ଦେଉଛନ୍ତି ସ୍ଥାନୀୟ ବାସିନ୍ଦା । ଆଜିକୁ ଦୀର୍ଘଦିନ ହେଲା ରାତିଦିନ ଅନବରତ ଜାରି ରହିଥିବା ଓଡ଼ିଶା ଖଣି ନିଗମ ତଥା OMC ପକ୍ଷରୁ ଖଣି ଖନନର ପ୍ରଭାବ ଅସ୍ତବ୍ୟସ୍ତ କରିପକାଉଛି । ଖୋର୍ଦ୍ଧା ଉପକଣ୍ଠ ନରଣଗଡ଼ ପଞ୍ଚାୟତ ଭୋଗପୁର ଗାଁ । ଗାଁରେ ଘର ଫାଟି ଆଁ କରିଛି । ଛାତ ଫାଟିଛି, ସିଡ଼ି ପାହାଚ ଫାଟିଛି, ଚଟାଣ ଫାଟିଛି ।
କେତେବେଳେ ବି ଭୁଶୁଡ଼ିପାରେ କାନ୍ଥ । ଲୋକଙ୍କ ଅଭିଯୋଗ, ଏହା ହେଉଛି ଜନବସତି ଭିତରେ OMC ଜାରି ରଖିଥିବା ଖଣ୍ଡୋଲାଇଟ ପଥର ଖଣି ଖନନର ପ୍ରଭାବ । ବଡ଼ ବଡ଼ ବ୍ରେକର୍ ଓ ଭାଇବ୍ରେଟର୍ ଲଗାଇ ନିଇତି ବିପଦଜନକ ଭାବେ ଖନନ କାର୍ଯ୍ୟ ଜାରି ରହିଛି । କେବଳ ଘରଦ୍ୱାର ଫାଟୁନି, ବରଂ ଜଳସ୍ତର ବି ହ୍ରାସ ପାଇଛି ।
ସାଧାରଣତଃ ପୂର୍ବ ବର୍ଷ ଗୁଡ଼ିକରେ ଏ ସମୟରେ ଏହି କୂଅରେ ପାଣି ରହୁଥିଲା । କିନ୍ତୁ ଦୁର୍ଭାଗ୍ୟ, ଖଣି ଖନନ ପରଠୁ ଏମିତି ଶୁଖିଗଲାଣି ଯେ ଆଉ କେବେ ପାଣି ହିଁ ମିଳିବନି । ନଳକୂଅ ଗୁଡ଼ିକରେ ବି ସମାନ ଦଶା । ଅବଶ୍ୟ କେତେବେଳେ କେମିତି ପାଣି ଆସୁଛି, କିନ୍ତୁ ଗୋଳିଆ । ଯାହାକୁ ପିଇବା ତ ଦୂରର କଥା, ଅନ୍ୟ କୌଣସି କାମରେ ବି ବ୍ୟବହାର ଯୋଗ୍ୟ ନୁହଁ ।
ଏହି ଖଣିରୁ ଶହ ଶହ ଟ୍ରିପ୍ ଖଣ୍ଡୋଲାଇଟ୍ ପଥର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର, ତାରାତାରିଣୀ ମନ୍ଦିର, ସମଲେଇ ମନ୍ଦିର, ବିରଜା ମନ୍ଦିର ଆଦିର ନବୀକରଣ କାମରେ ଲଗାଯାଉଛି । ଏଥିପାଇଁ ଦୈନିକ ଖନନ ସହ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ପାଇଁ ବି ବୁହାଚାଲିଛି ।
କିନ୍ତୁ, ଦୁର୍ଭାଗ୍ୟ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ମଧ୍ୟରେ ଆସୁଥିବା ଏହି ନିରୀହ ଗ୍ରାମବାସୀଙ୍କ ପ୍ରତି OMC ଓ ରାଜ୍ୟ ସରକାର ସତେ ଯେମିତି ଆଖି ବୁଜିଦେଇଛନ୍ତି । ଏହି ସମସ୍ୟାକୁ ଧରି କ୍ଷତିଗ୍ରସ୍ତ ଲୋକେ OMC ଖଣି ଆଗରେ ନାରାବାଜି ସହ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହୋଇଛି, ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ବି ଦେଇଛନ୍ତି ।
OMCର ସୁରକ୍ଷା ଅଧିକାରୀ କହିଛନ୍ତି, ଏ ସଂପର୍କରେ ଊଚ୍ଚ ଅଧିକାରୀଙ୍କୁ ଜଣାଇବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)