• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡ଼ା( ମନୋଜ୍ ପାତ୍ର ) : ରାଜଦ୍ୱାରେ ଶ୍ମଶାନେଚ ଯଃ ତିଷ୍ଠତି ସଃ ବାନ୍ଧବ । ଅର୍ଥାତ ବିପଦ ଆପଦ ସମୟରେ ଯିଏ ସାହା ହୁଏ ସେହିଁ ପ୍ରକୃତ ବନ୍ଧୁ । ଆଉ ଏମିତି ଜଣେ ବନ୍ଧୁ ହେଲେ ରାୟଗଡାର ସ୍ୱେଚ୍ଛାସେବୀ ଆପୁଲୁସ୍ୱାମୀ କାଡ୍ରାକା, ଧନୀ ଓ ଗରିବ ସମସ୍ତଙ୍କ ବନ୍ଧୁ । ଖରା ହେଉ କି ବର୍ଷା ହେଉ ପ୍ରତି ରବିବାର ଶୁଖିଲା କାଠ ସଂଗ୍ରହ କରିବାକୁ ଦଳବଳ ହୋଇ ବାହାରି ଯାଆନ୍ତି । ଆଉ ଅନ୍ତିମ ସଂସ୍କାର ସମୟରେ ଗରିବ ନିରାଶ୍ରୟ ଲୋକଙ୍କ ଶବ ସତ୍କାର ପାଇଁ ବିନା ମୂଲ୍ୟରେ କାଠ ଯୋଗାଇବା ଦିଅନ୍ତି ।

ରାୟଗଡା ସହର ଆମ୍ବାଗୁଡା ଅଞ୍ଚଳର ଯୁବକ ଆପୁଲୁସ୍ୱାମୀ କାଡ୍ରାକା । ଜଣେ ପରୋପକାରୀ ମଣିଷ ହିସାବରେ ସାରା ରାୟଗଡା ସହରରେ ସୁପରିଚିତ । ଲୋକଙ୍କ ବିପଦ ଆପଦ ସମୟରେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି ଆପାଲୁସ୍ୱାମୀ । ଗତ ଦୁଇ ବର୍ଷ ହେଲାଣି ସେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ । ମୃତ ଲୋକଙ୍କ ଶବ ସତ୍କାର କରିବା ପାଇଁ ସେ ମାଗଣାରେ ଯୋଗାଇ ଆସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ । ଧନୀ ହେଉ ବା ଗରୀବ ଯିଏ ଯେଉଁ ସମୟରେ ଶବ ଦାହ ପାଇଁ ଚାହିଁଲା ତାକୁ ବିନା ମୂଲ୍ୟରେ କାଠ ଦେଉଛନ୍ତି ଆପଲା ସ୍ୱାମୀ ।

୨୦୧୯ ମସିହାରେ କରୋନା ସମୟରେ ଲୋକେ କୌଣସି ସାହାଯ୍ୟ ସହଯୋଗ ନପାଇ ମୃତହେଦ ଦାହ କରିନପାରି ଫିଙ୍ଗି ଦେଉଥିଲେ । ଯାହାକୁ ଦେଖିବା ପରେ ବିଚଳିତ ହୋଇଥିଲା ଆପୁଲୁସ୍ୱାମୀଙ୍କ ମନ । ସେ ଓ ତାଙ୍କ ସାଥୀ ମାନେ ମିଶି ଏଭଳି ଗରିବ ଲୋକଙ୍କ ଶବଦାହ ପାଇଁ ସମସ୍ତ ବନ୍ଦୋବସ୍ତ କରିବା ପାଇଁ ମନସ୍ଥ କଲେ । ସେଦିନ ଠାରୁ ପ୍ରତି ରବିବାର ଦିନ ଜଙ୍ଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ କରି ଥାନ୍ତି । ଯେଉଁ ସମୟରେ ସହରରେ କାଠର ଅଭାବ ହୁଏ କିମ୍ବା ଗରିବ ଲୋକେ ଶବ ଦାହ ପାଇଁ କାଠ ପାଆନ୍ତି ନାହିଁ, ସେ ସମୟରେ ଆପୁଲୁସ୍ୱାମୀ ଓ ତାଙ୍କ ସାଥୀ ମାନେ ବିନା ମୂଲ୍ୟରେ ଶ୍ମଶାନ ଘାଟରେ କାଠ ପହଞ୍ଚାଇ ଦେଇଥାନ୍ତି । ଏଭଳି କାର୍ଯ୍ୟଦ୍ୱାରେ ସେ ନିଜେ ଆତ୍ମସନ୍ତୋଷ ଲାଭ କରିବା ସହ ସହଯୋଗୀ ମାନେ ବି ପରୋପକାର କରି ଖୁସି ହେଉଥିବା କହନ୍ତି ।

କେବଳ ଶବ ସତ୍କାର ପାଇଁ କାଠ ଯୋଗାଇବା ନୁହେଁ, ଗରିବ ଲୋକଙ୍କ ଶବ ନେବା ଆଣିବା ଓ ଅଚିହ୍ନା ଶବକୁ ଶ୍ମଶାନକୁ ନେଇ ଦାହ କରିବା କାର୍ଯ୍ୟ ମଧ୍ୟ କରିଥାନ୍ତି ଆପୁଲୁସ୍ୱାମୀ ଓ ତାଙ୍କ ସାଥୀ । ଏଥିପାଇଁ ସେ ରଖିଛନ୍ତି ସ୍ୱର୍ଗଧାମ ରଥ । ଏହି ରଥକୁ ଯେ କେହି ବିନାମୂଲ୍ୟରେ ଶବ ନେବା ଆଣିବା ପାଇଁ ବ୍ୟବହାର କରିଥାନ୍ତି । ଖରା ହେଉକି ବର୍ଷା, ରାତି ହେଉକି ଦିନ ସବୁବେଳେ ଲୋକଙ୍କ ସେବା ପାଇଁ ତୟାର ଥାନ୍ତି ଆପଲସ୍ୱାମୀଙ୍କ ଟିମ୍‍ । ଖବର ପାଇବା ମାତ୍ରେ ପହଞ୍ଚି ମୃତ ଲୋକଙ୍କ ଶବ ସତ୍କାର ବନ୍ଦୋବସ୍ତ କରିଥାନ୍ତି । ଅନେକ ସମୟରେ ହସ୍ପିଟାଲରେ ପହଞ୍ଚି ଗୁରୁତର ରୋଗୀଙ୍କୁ ରକ୍ତଦାନ, ଅସହାୟ ଲୋକଙ୍କୁ ସେବା ଯୋଗାଇଥାନ୍ତି ଆପୁଲୁସ୍ୱାମୀ । ଆପାଲୁସ୍ୱାମୀଙ୍କ ଏଭଳି ଜନସେବା ପାଇଁ ଭୁରି ଭୁରି ପ୍ରଶଂସା କରିଛନ୍ତି ସହର ବାସିନ୍ଦା ।