• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବିକାଶ ପାଇଁ ବଳି ପଡ଼ିଛି ଲକ୍ଷ ଲକ୍ଷ ଗଛ । ମାଟିରେ ଲୋଟିଛି ୨୬ ଲକ୍ଷ ୭୫ ହଜାର ବୃକ୍ଷ । ତା ପୁଣି ମାତ୍ର ୨୩ ବର୍ଷ ମଧ୍ୟରେ । ଆମ ରାଜ୍ୟରେ କିଛି ଏଭଳି ଗଛ କଟାର ବିକଳ ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କୁ ତାହା ଚକିତ କରିଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି । ଗତ ନବୀନ ସରକାରରେ ବର୍ଷ ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି ।

ସବୁଠୁ ଅଧିକ ବିଦ୍ୟୁତ୍ ସେବା ଓ ଖଣି ପାଇଁ ବଳି ପଡ଼ିଛି ଗଛ । ଖଣି ପାଇଁ ମୋଟ ୯ ଲକ୍ଷ ୬୪ ହଜାର ୬୩ ଗଛ କଟାଯାଇଛି । ସେହିପରି ବିଦ୍ୟୁତ୍ ସରବରାହ ପାଇଁ ୧୩ ଲକ୍ଷ ୯ ହଜାର ୪୩୯ଟି ଗଛ କାଟି ସଫା କରାଯାଇଛି । ରାସ୍ତା ପାଇଁ ପ୍ରାୟ ୬ ଲକ୍ଷ, ଜଳ ସେଚନ ପାଇଁ ୬ ଲକ୍ଷ ୮୯ ହଜାରରୁ ଅଧିକ ଏବଂ ଶିଳ୍ପ ପାଇଁ ୩ ଲକ୍ଷରୁ ଅଧିକ ଗଛକୁ କଟା ଯାଇଛି । ଗତ ସରକାରରେ ବିକାଶ କାର୍ଯ୍ୟରେ ସବୁଠୁ ଆଗରେ ବଳି ପକାଯାଇଥିଲା ବିଶାଳ ଓ ବହୁ ପୁରାତନ ଗଛ । 

ରାଜ୍ୟରେ ବାଘ ଓ ହାତୀ ମୃତ୍ୟୁକୁ ନେଇ ମଧ୍ୟ ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଗତ ୧୦ ବର୍ଷରେ ରାଜ୍ୟରେ ୫୫ ବାଘଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୪୮ କଲରାପତରିଆ ଓ ୭ ମହାବଳ ବାଘ । ଶିକାରୀଙ୍କ ହାତରେ ୨୫ଟି ଓ ବିଦ୍ୟୁତ ଆଘାତରେ ୪ ବାଘଙ୍କର ଜୀବନ ଯାଇଛି । ଦୁର୍ଘଟଣାରେ ୫ ଓ ନଦୀନାଳରେ ବୁଡ଼ି ମରିଛନ୍ତି ୬ ବାଘ । ସେହିପରି ରାଜ୍ୟରେ ୧୦ ବର୍ଷରେ ହାତୀ ଆକ୍ରମଣରେ ୧୧୪୫ ଜଣଙ୍କ ମୃତ୍ୟୁ ହୋଇଛି । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ୧୦ ବର୍ଷରେ ୪୧ଟି ହାତୀଙ୍କୁ ଶିକାର କରାଯାଇଛି । ବିଭିନ୍ନ କାରଣରୁ ଆଖି ବୁଜିଛନ୍ତି ୭୧୯ଟି ହାତୀ ।  

 

OTV is now on Whatsapp

Join and get latest news update delivered to you via whatsapp

Join Now