• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି । ୟା ଭିତରେ ଅପେକ୍ଷାକୁ ୨୩ ବର୍ଷ ବିତିଲାଣି, ହେଲେ ଚାକିରି କରିବାକୁ ଯାଇଥିବା ଝିଅର ଆଉ ଖୋଜ୍ ଖବର ମିଳୁନି । ଆଉ ଏପଟେ ଆଜି ବି ତା ଫେରିବା ବାଟକୁ ଅନାଇ ବସିଛନ୍ତି ବୁଢ଼ା ବାପା-ମାଆ ।

ସେହି ସରଜଂଘା ଗାଁର ବ୍ଲାସିଉସ ଲାକାଡ଼ାଙ୍କ ବଡ଼ ଝିଅ ବି ଆଜିକୁ ୨୦ ବର୍ଷ ଧରି ନିଖୋଜ । ସମ୍ପର୍କୀୟଙ୍କ କଥାରେ ପଡ଼ି ମାତ୍ର ୧୪ ବର୍ଷ ବୟସରେ ଝିଅକୁ ଚାକିରି ପାଇଁ ମୁମ୍ବାଇକୁ ଛାଡ଼ିଥିଲେ । ହେଲେ ତା ପରେ ଆଉ ମିଳିନି ଝିଅର ଅତ୍ତା କି ପତ୍ତା । ରାଜ୍ୟରେ ଉତ୍କଟ ଯୁବତୀ, ମହିଳା ଓ ଶିଶୁ ଚାଲାଣର ସମସ୍ୟା ଏଇ ଦୁଇ ହତଭାଗା ପରିବାର ଭାଗ୍ୟରେ ଘଟିଛି ତା ନୁହେଁ ।

ଏମାନଙ୍କ ଭଳି କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ । ଯାହା ରାଜ୍ୟର ବୁଦ୍ଧିଜୀବୀ ଓ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କ ଚିନ୍ତା ବଢାଇ ଦେଇଛି ।

NCRBର ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ନେଇ ରିପୋର୍ଟ ହୋଇଛି । ତା’ ଭିତରୁ ୧୬ ହଜାର ୬୦୮ ଜଣ ଉଦ୍ଧାର ବା ଚିହ୍ନଟ ହୋଇଥିବା ବେଳେ ଏବେ ବି ନିଖୋଜ ଅଛନ୍ତି ୧୯ ହଜାର ୧୭୫ ମହିଳା । ସେହିଭଳି ସର୍ବଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬.୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏ ହାର ହାର ମାତ୍ର ୪୬. ୭ ପ୍ରତିଶତ । ଯାହାକି ରାଜ୍ୟରେ ନିଖୋଜ ମହିଳାଙ୍କୁ ଉଦ୍ଧାର କ୍ଷେତ୍ରରେ ପୋଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି ।

ସେହିଭଳି ୧୮ ବର୍ଷରୁ କମ୍ ବୟସର ଯୁବତୀ ଚାଲାଣ କ୍ଷେତ୍ରରେ ମଧ୍ୟରେ ଢେର ଆଗରେ ରହିଛି ଓଡ଼ିଶା । ଏପରିକି ଏହି ବର୍ଗର ଝିଅଙ୍କୁ ଉଦ୍ଧାର ହାର ୬୫.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏ ହାର ୬୧.୬ ପ୍ରତିଶତ । ଏ ପ୍ରସଙ୍ଗ ରାଜ୍ୟବାସୀଙ୍କ ଉଦବେଗ ବଢାଉଥିବା ବେଳେ ଏବେ ଗତ ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ବି ବିଚଳିତ କଲା ଭଳି ଥିଲା । ଗତ ମାର୍ଚ୍ଚ ୨୦ ତାରିଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗତ ୫ ବର୍ଷର ତଥ୍ୟ ଦେଇ ରାଜ୍ୟରେ ଏବେ ବି ୨୬ ହଜାର ୨୪୭ ମହିଳା ଓ ୩ ହଜାର ୭୯୧ ଝିଅଙ୍କୁ ଉଦ୍ଧାର କରାଯାଇ ପାରିନଥିବା ସ୍ୱୀକାର କରିଥିଲେ ।

ସେପଟେ ମାନବ ଚାଲାଣ ବା ହ୍ୟୁମାନ ଟ୍ରାଫିକିଂରେ ବି ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଏନସିଆରବି ରିପୋର୍ଟ ଦର୍ଶାଇଛି । ମାନବଚାଲାଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର ୮୪.୭ ପ୍ରତିଶତ ହୋଇଥିବାବେଳେ ଓଡ଼ିଶାରେ ଏହା ମାତ୍ର ୭୦.୪ ପ୍ରତିଶତ ରହିଛି ।

ଭୁବନେଶ୍ୱରରୁ ସ୍ୱାତୀ ଜେନା ଓ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ, ଓଟିଭି