• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାସ୍ଥ୍ୟ ବିଭାଗର ଫେସବୁକ୍ ପ୍ରୀତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଜିଟାଲ ମିଡିଆରେ ପ୍ରଚାର ପ୍ରସାର । ଗ୍ରାଉଣ୍ଡ ଜିରୋରେ ଭିତ୍ତିଭୂମି ଦୁର୍ବଳ ହେଲେ ବି ଡିଜିଟାଲ ମିଡିଆରେ ବିଭାଗର ସଫଳତାର ଗୋଲାପୀ ଚିତ୍ର । ରାଜ୍ୟରେ ମହାମାରୀ ହଇଜା ମୃତ୍ୟୁର ତାଣ୍ଡବ କରୁଛି, କେଉଁଠି ଆମ୍ବୁଲାନ୍ସ ଅଭାବରୁ ଲୁନାରେ ରୋଗୀ ବୋହିଲେଣି ତ କେଉଁଠି ଭୁଲ ରିପୋର୍ଟ ଯୋଗୁଁ ଅଙ୍ଗ ଛେଦନ ହେଲାଣି । ଏମିତି ସ୍ଥିତିରେ ନିଜର ଛବି ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ଜୋରଦାର ଚେଷ୍ଟା ଚଳାଇଥିବା ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହା ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ।

କାଶୀପୁରରେ ହଇଜାର ରାଜୁତି, ସେଠି ନିୟମିତ ଯାଉଛି ଜୀବନ । ପୁରୀ ଚନ୍ଦନପୁରରେ ଆମ୍ବୁଲାନ୍ସ ଅଭାବରୁ ଲୁନାରେ ବୁହା ହେଲେ ରୋଗୀ । ଚାନ୍ଦବାଲିରେ ମୋବାଇଲ ଲାଇଟ୍‌ରେ ଟ୍ରିଟମେଣ୍ଟ, କଟକ ବଡ ମେଡିକାଲରେ ବଡ଼ ଅବହେଳା, ସୁସ୍ଥ ମଣିଷକୁ କ୍ୟାନସର ଚିକିତ୍ସା । ଉପାନ୍ତରୁ ଉପକୂଳ, ନିତି ସାମ୍ନାକୁ ଆସୁଛି ସ୍ୱାସ୍ଥ୍ୟ ବିଭାଗର ଏଭଳି ବିକଳ ଚିତ୍ର । ଆଉ ଡାକ୍ତର ଓ ଷ୍ଟାଫ ଅଭାବ ତ ସ୍ୱାସ୍ଥ୍ୟ ବିଭାଗର ଚିରସ୍ଥାୟୀ ସମସ୍ୟା ।

ତେଣୁ ପ୍ରଶାସନିକ ଦୁର୍ବଳତାକୁ ଲୁଚାଇବା ପାଇଁ  ପ୍ରଚାର, ପ୍ରସାରର ସହାୟତା । ଭିତ୍ତିଭୂମି ସଜାଡିବା ବଦଳରେ ପ୍ରଚାର ଓ ପ୍ରସାରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ବିଭାଗ । ଇମେଜ୍ ବଞ୍ଚାଇବାକୁ ଏବେ ଡିଜିଟାଲ ମିଡିଆକୁ ଭରସା କରିଛି ବିଭାଗ । ତେଣୁ ଫେସବୁକ୍ ଆଉ ଇନ୍‌ଷ୍ଟାରେ ବିଜ୍ଞାପନ ବାବଦକୁ ସ୍ୱାସ୍ଥ୍ୟ ବିଭାଗ ଦେଇଛି ୧୨ ଲକ୍ଷ ୬ ହଜାର ୭୦୧ ଟଙ୍କା । ଆଉ ହଁ, କେବଳ ୯୦ ଦିନ ପାଇଁ ସରକାର ଗଣିଛନ୍ତି ଏହି ୧୨ ଲକ୍ଷରୁ ଅଧିକ ଟଙ୍କା । ଯାହାକି ମେଟା ଆଡ୍ ଲାଇବ୍ରେରୀକୁ ଗତ ୩ ମାସରେ ମିଳିଥିବା ବଡ଼ ବିଜ୍ଞାପନ ଦେୟ ମଧ୍ୟରୁ ଅନ୍ୟତମ । ଏହା ତାଲିକାର ୧୫ତମ ସ୍ଥାନରେ ବି ରହିଛି ।

ସେହିଭିଳି ବିଭାଗ ନିଜର ସୋସିଆଲ ମିଡିଆ ହାଣ୍ଡେଲର ପରିଚାଳନା ବାବଦକୁ ଏକ ଘରୋଇ କଂପାନୀଙ୍କୁ ଦେଇଛି ୩ ଲକ୍ଷ ୩୧ ହଜାର ୮୭୬ ଟଙ୍କା । ଏକଥା ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କହିଛନ୍ତି ବିନା ଭିତ୍ତିଭୂମିରେ ନିଜର ଅପାରଗ ପଣିଆକୁ ଲୁଚାଇବା ପାଇଁ ସରକାର ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଜେଡି କହିଛି ଏହା ବିଜ୍ଞାପନ ନୁହେଁ ସଚେତନତା ।

କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ, ସରକାରଙ୍କ ଅନ୍ୟ ବିଭାଗ ମଧ୍ୟ ମାତିଛନ୍ତି ପ୍ରଚାର ପ୍ରସାରରେ । ସବୁଦିନ ଖବରକାଗଜରେ ଆସୁଛି ବିଜ୍ଞାପନ, ଆଉ ସରକାରୀ ଯୋଜନାକୁ ନେଇ ଗାଁରୁ ସହର, ଗଳିକନ୍ଦିରେ ଲୋଗୁଛି ହୋର୍ଡିଂ ଆଉ ପୋଷ୍ଟର । ବିଧାନସଭାରେ ରାଜ୍ୟ ସରକାର ରଖିଥିବା ତଥ୍ୟ କହୁଛି ଗତ ୭ ବର୍ଷରେ ରାଜ୍ୟ ସରକାର କେବଳ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିଛନ୍ତି ପ୍ରାୟ ୪ ଶହ କୋଟି ଟଙ୍କା ।

 

କାହିଁକି ଭିତ୍ତିଭୂମି ନ ସଜାଡି ପ୍ରଚାର ପ୍ରସାରରେ ଲାଗଛନ୍ତି ରାଜ୍ୟ ସରକାର ? ନିଜର ଇମେଜ ବିଲ୍ଡିଂ ପାଇଁ କାହିଁକି ରୋଜକୋଷରୁ ଖର୍ଚ୍ଚ କରୁଛନ୍ତି ପାଣି ଭଳି ଟଙ୍କା ? ଲୋକଙ୍କୁ ସଚେତନ କରିବା ଆଳରେ ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କେତେ ଯୁକ୍ତି ଯୁକ୍ତି । ତାକୁ ନେଇ ଏବେ ସବୁଠି ପ୍ରଶ୍ନ । ହେଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି କେନ୍ଦ୍ର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଆମ ବିଭାଗ ଏକ ନମ୍ବର । ଆଉ କେବଳ ବିଜ୍ଞାପନ ନୁହେଁ ଭିତ୍ତିଭୂମିରେ ଏବେ ଅଧିକ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟାମନ୍ତ୍ରୀ ।