• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଘ ବଂଶ ଶୂନ୍ୟ ହେବା ପରେ ପୁଣି ସାତକୋଶିଆକୁ ନେଇ ରାଜ୍ୟ ସରକାରଙ୍କ ନୂଆ ଏକ୍ସପେରିମେଣ୍ଟ । ୨୦୧୮ ମସିହାରେ ଏଠାରେ ଦେଶର ପ୍ରଥମ ବାଘ ପୁନର୍ବାସ ଯୋଜନା ଫେଲ୍ ମାରିବା ପରେ ଏବେ ପୁଣି ଘାରିଛି ବାଘ ବଂଶ ବିସ୍ତାର ଯୋଜନା । ୧ ହଜାର ବର୍ଗ କିଲୋମିଟର ବ୍ୟାପୀ ଏହି ବ୍ୟାଘ୍ର ଅଭୟାରଣ୍ୟରେ ଏଥିଲାଗି ବନବିଭାଗ ଆରମ୍ଭ କରିଛି ବହୁବିଧ ରଣନୀତି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ପରସ୍ପରକୁ ଲାଗିଛି । ଯେହେତୁ ଶିମିଳିପାଳରେ ବାଘ ସଂଖ୍ୟା ବଢ଼ୁଛି, ତେଣୁ ଆଗାମୀ ଦିନରେ ନିଜସ୍ୱ ଟେରିଟୋରି ତିଆରି ପାଇଁ ସେମାନେ ସାତକୋଶିଆମୁହାଁ ହେବେ ।

ତେଣୁ ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି । ତେବେ ଖାଲି ବାଘ ନୁହେଁ ତୃଣଭୋଜି ପ୍ରାଣୀଙ୍କ ଖାଦ୍ୟ ପାଇଁ ବି ଜଙ୍ଗଲରେ ବିସ୍ତୃତ ଘାସ ଉଦ୍ୟାନ ସୃଷ୍ଟି କରାଯାଉଛି । ଏହାଛଡ଼ା ସେଠି ଟାଇଗର ଟ୍ରାନ୍ସଲୋକେସନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବି ବନ ବିଭାଗ ତର୍ଜମା କରୁଥିବା କହିଛନ୍ତି ପିସିସିଏଫ ।

ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଏନ୍ଟିସିଏର ତଥ୍ୟ କହୁଛି, ୨୦୦୬ରେ ସାତକୋଶିଆରେ ଥିଲେ ୬ଟି ମହାବଳ ବାଘ । ୨୦୧୦ରେ ସଂଖ୍ୟା ୮କୁ ବଢ଼ିଥିଲା । ହେଲେ ୨୦୧୪ରେ ସେମାନଙ୍କ ସଂଖ୍ୟା ହଠାତ୍ ୩କୁ ଖସିବା ସହ ୨୦୧୮ରେ ୧ ହୋଇଗଲା । ଏହାକୁ ଦେଖି ୨୦୧୮ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଓ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ୨ଟି ବାଘ ଆଣି ସାତକୋଶିଆରେ ବଂଶବିସ୍ତାର ପାଇଁ ପଦକ୍ଷେପ ନିଆଯାଇଥିଲା, ହେଲେ ମାତ୍ର ଦିନ କେଇଟା ପରେ ତାହା ସଂପୂର୍ଣ୍ଣ ଫେଲ୍ ମାରିଗଲା ।

ତେଣୁ ଏବେ ପ୍ରଶ୍ନ, ସାତକୋଶିଆରୁ କାହିଁକି ଲୋପ ପାଇଗଲା ମହାବଳ ବଂଶ ? ବାଘ ପୁନର୍ବାସ ଯୋଜନା ଫେଲ୍ ମାରିବାର ହୋଇପାରେ କି କାରଣ ? ଏବେ ପୁଣିଥରେ ସେଠି ଏ ଯୋଜନା ଫଳପ୍ରଦ ହେବ ତ ? ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତ, ବାଘଙ୍କ ପାଇଁ ସାତକୋଶିଆରେ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ। ତା’ସହ ଶିକାରୀଙ୍କ ପ୍ରାଦୁର୍ଭାବ ବି ବଡ଼ ଚିନ୍ତାର କାରଣ । ବନ ବିଭାଗ ସ୍ଥାନୀୟ ଲୋକଙ୍କ ବିଶ୍ୱାସଭାଜନ ହୋଇପାରୁ ନଥିବାରୁ ସେଠି ଟାଇଗର ଟ୍ରାନ୍ସଲୋକେସନ ଯୋଜନା ଫ୍ଲପ୍ ହେଲା ।

ଏଣେ ଗତ ୪ବର୍ଷରେ ବାଘ ସଂଖ୍ୟା ଦୁଇଗୁଣ ହୋଇଥିବା ଶିମିଳିପାଳରେ ଜଙ୍ଗଲ ରାଜାର ସୁରକ୍ଷା ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ଜଏଣ୍ଟ ଟାସ୍କଫୋର୍ସ । ବାରିପଦା RCCFଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ୩ ପ୍ଲାଟୁନ୍ ସଶସ୍ତ୍ର କନେଷ୍ଟବଲଙ୍କ ସହ ୯୦ଜଣ ଫରେଷ୍ଟ ଅଫିସର ୨୪ ଘଣ୍ଟା ଶିକାରୀଙ୍କ ଉପରେ ନଜର ରଖିବେ ।

  • Reported by:
  • KAPILENDRA PRADHAN