• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାକୃତିକ ହେଉ କି ମନୁଷ୍ୟକୃତ । ବିପର୍ଯ୍ୟୟର ସଫଳ ମୁକାବିଲା ଓ ଜିରୋ କାଜ୍ୱାଲଟି ନୀତିର ସଫଳ ରୂପାୟନ ଲାଗି ଓଡ଼ିଶା କରୁଛି ବଡ଼ ବନ୍ଦୋବସ୍ତ । ସବୁ ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା, ଭିତ୍ତିଭୂମିକୁ ସୁଦୃଢ଼ କରିବେ ରାଜ୍ୟ ସରକାର । ୧୯୯୯ ମହାବାତ୍ୟାକୁ ମନେ ପକାଇ ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଭବିଷ୍ୟତର ରୂପରେଖର ନମୁନା ଜାରି କରିଛନ୍ତି ଜାରି କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ, ପିଅନଠୁ ମୁଖ୍ୟଶାସନ ସଚିବ, ସମସ୍ତେ ନେବେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ । ସବୁ ସରକାରୀ କର୍ମଚାରୀ ମଧ୍ୟ ବିପର୍ଯ୍ୟୟ ପରିଚାଳନା କୋର୍ସ କରିବାକୁ ବାଧ୍ୟ । ଏଥିପାଇଁ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଲାଗି ୪ ପ୍ରକାରର କୋର୍ସ ବି ଆରମ୍ଭ ହୋଇସାରିଛି । ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଏମିତି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରତି ଗାଁର ୧୦ ଜଣ ଯୁବକ ଯୁବତୀଙ୍କୁ ଫାଷ୍ଟ ଏଡ୍ ଓ ଅନ୍ୟ ୧୦ରୁ୧୫ ଜଣଙ୍କୁ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଟ୍ରେନିଂ ଦିଆଯିବ । ଏସବୁ ପରିକଳ୍ପନାର ସଫଳ ରୂପାୟନ ହେଲେ ବିପର୍ଯ୍ୟୟକୁ ମୁକାବିଲାରେ ବଡ଼ ସଫଳତା ମିଳିବ ବୋଲି କହିଛନ୍ତି ମୁଖ୍ୟ ସଚିବ ।

୧୯୯୯ ମହାବାତ୍ୟାରେ ୧୦ ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ରାଜ୍ୟ ବାରମ୍ବାର ବନ୍ୟାବାତ୍ୟା ଭଳି ବିପର୍ଯ୍ୟୟର ସାମ୍ନା କରୁଥିବା ଆମ ରାଜ୍ୟ । ଏହାକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଜିରୋ କାଜୁଆଲିଟି ନୀତି ଆପଣାଇଛନ୍ତି । ତେବେ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ୨୦ ଜିଲ୍ଲାରେ ପରିବର୍ତ୍ତେ ଏଣିକି ସବୁ ଜିଲ୍ଲାରେ ଓଡ୍ରାଫ୍ ୟୁନିଟ ରହିବ ।

କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ସ୍ୱତନ୍ତ୍ର ବିପର୍ଯ୍ୟ ମୁକାବିଲା ୟୁନିଟ ଖୋଲାଯିବ । ବିପର୍ଯ୍ୟୟ ପ୍ରବଣ ଉପକୂଳବର୍ତ୍ତୀ ଜିଲ୍ଲାର ୧୦ ହଜାର ଗାଁ ପାଇଁ ତିଆରି ହେବ ସ୍ୱତନ୍ତ୍ର ପ୍ଲାନ । ସବୁ ପଞ୍ଚାୟତରେ ଅଟୋମେଟେଡ୍ ୱେଦର ଓ ରେନ ଗଜ ଷ୍ଟେସନ ଏବଂ ୩ ହଜାର ପଞ୍ଚାୟତରେ ବିଶ୍ୱବ୍ୟାଙ୍କ ସହାୟତାରେ ବାତ୍ୟା, ବନ୍ୟା ଓ ବଜ୍ରାଘାତ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେହିପରି ବିପର୍ଯ୍ୟୟକୁ ସହ୍ୟ କରିପାରୁଥିବା ରାସ୍ତା ନିର୍ମାଣ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେବଳ ପ୍ରାକୃତିକ ନୁହେଁ, ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ଲାଗି ବି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ରସାୟନ ସାମଗ୍ରୀ ସାଙ୍ଗକୁ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଭଳି ଦହନଶୀଳ ସାମଗ୍ରୀ ପରିବହନ ବେଳେ ଅଘଟଣ ଘଟିଥାଏ । ଏସବୁ ବ୍ୟତୀତ ସାପ କାମୁଡ଼ା ଓ ପାଣିରେ ବୁଡ଼ି ମୃତ୍ୟୁ ଭଳି ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏସବୁର ତ୍ୱରିତ ମୁକାବିଲା ଲାଗି ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ ସ୍ୱତନ୍ତ୍ର ଟିମ ଗଠନ କରାଯିବ ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ଜ୍ୟୋସ୍ନାଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି