• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଝୁଲା ପୋଲ ଅସୁରକ୍ଷିତ ଥିବା ଦର୍ଶାଇ ଏହାକୁ ସାମୟିକ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ପୀଠ ପରିସରରେ ୧୪୪ ଧାରା ଜାରି ହୋଇଛି । ଅର୍ଥାତ୍ ଡଙ୍ଗାରେ ବି ବାବାଙ୍କ ଦର୍ଶନ ଲାଗି ଯାଇପାରିବେନି ଶ୍ରଦ୍ଧାଳୁ । ଏହାକୁ ନେଇ ଜେତିଛି ଅସନ୍ତୋଷ । ଗୁଜରାଟ ଝୁଲା ପୋଲ ଟ୍ରାଜେଡିକୁ ଦେଖି ପ୍ରଶାସନ ଏଭଳି ସତର୍କତାମୂଳକ ପଦକ୍ଷେପ ନେଇଥିଲେ ବି ପ୍ରଶ୍ନ ଉଠାଇଛନ୍ତି ଶ୍ରଦ୍ଧାଳୁ । ଯଦି ପୋଲ ଦୁର୍ବଳ ଥିଲା ଆଗରୁ କାହିଁକି ମରାମତି କରାନଗଲା ଏବଂ କାହିଁକି ବିକଳ୍ପ ବ୍ୟବସ୍ଥା ନହେଲା ବୋଲି ଭକ୍ତ ଜଣିବାକୁ ଚାହିଁଛନ୍ତି । ଅନ୍ୟପକ୍ଷରେ ମେଳା ବନ୍ଦ ଲାଗି ପ୍ରଶାସନ ହଠାତ୍ ନିଷ୍ପତ୍ତି ନେବା ଫଲରେ ହତାଶ ହୋଇପଡିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର । ହେଲେ ବାଧକ ସାଜିଛି ଗୁଜରାଟ ମୋର୍ବି ଝୁଲାପୋଲ ଟ୍ରାଜେଡି । ଏହି ଅଘଟଣ ପରେ ଧବଳେଶ୍ୱର ଝୁଲାପୋଲକୁ  ଅସୁରକ୍ଷିତ ଦର୍ଶାଇ ଏହାକୁ ବନ୍ଦ କରିଦେଇଛି ପ୍ରଶାସନ ।

ସେହିପରି ଭକ୍ତ କାଳେ ଡଙ୍ଗାରେ ଯିବାକୁ ଉଦ୍ୟମ କରିବେ, ସେଥିଲାଗି ପୀଠ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ମୁଖ୍ୟ ଫାଟକ ଆଗରେ ବ୍ୟାରିକେଡ୍, ସମଗ୍ର ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇଛି । କୋଭିଡ୍ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ପଞ୍ଚୁକ ଓ ବଡ଼ଓଷାରେ ଭୋଳାନାଥଙ୍କ ଦର୍ଶନ କରିପାରିନଥିଲେ ଭକ୍ତ । ତେଣୁ ଏଥର ମନରେ ଥିଲା ପ୍ରଚୁର ବ୍ୟଗ୍ରତା । ମାତ୍ର ପ୍ରଶାସନର ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି ।

ଅନ୍ୟପକ୍ଷରେ ଗୁଜରାଟ୍ ଟ୍ରାଜେଡି ପରେ କଣ ପ୍ରଶାସନର ନିଦ ଭାଙ୍ଗିଲା କି ବୋଲି ଉଠିଛି ପ୍ରଶ୍ନ । ପୋଲ ଯଦି ଦୁର୍ବଳ ଥିଲା, ଆଗରୁ ମରାମତି କରାନଗଲା କାହିଁକ? କାର୍ତ୍ତିକ ମାସ ଆରମ୍ଭରୁ ଶହ ଶହ ଭକ୍ତ ଦୈନିକ ଏହି ପୋଲରେ ଯାଆସ କରିଆସୁଛନ୍ତି । ତେଣୁ ଦିନକରେ ପୋଲ କିଭଳି ଅସୁରକ୍ଷିତ ହୋଇଗଲା ବୋଲି ଭକ୍ତ ପଚାରିଛନ୍ତି । ଅନ୍ୟପକ୍ଷରେ ଯଦି ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଲା ଡଙ୍ଗା ବ୍ୟବସ୍ଥା କଲା ନି କାହିଁକ ? କୌଣସି ବିକଳ୍ପ ବ୍ୟବସ୍ଥା ନକରି ଧବଳେଶ୍ୱର ପୀଠକୁ ପ୍ରବେଶ ନିଷିଦ୍ଧ କରାଯିବା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧଳୁ ।

ବିନା ଭକ୍ତରେ ଖାଁ ଖାଁ ଦିଶୁଛି ଧବଳେଶ୍ୱର ପୀଠ । ଦୋକାନ ବଜାର ବି ସବୁ ବନ୍ଦ । ପଞ୍ଚୁକ ଓ ବଡ଼ଓଷା ପାଇଁ ୪ ତାରିଖରୁ ଏଠି ଲାଗିଥାଆନ୍ତା ମେଳା । ଦି ପଇସା ରୋଜଗାର ଲାଗି ଆଶା ରଖିଥିଲେ ସ୍ଥାନୀୟ ବ୍ୟବସାୟୀ । ପୂଜା ସାମଗ୍ରୀଠୁ ପ୍ରସାଦ ଯାଏଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ କିଣିଥିଲେ । ହେଲେ ଏବେ କଣ କରିବେ, ସେମାନଙ୍କ ମୁଣ୍ଡ କାମ କରୁନି । ପ୍ରଶାସନର ନିଷ୍ପତ୍ତିକୁ ଧବଳେଶ୍ୱର ପୂଜକ ସମିତି ବି ନାପସନ୍ଦ କରିଛି । ତେବେ ଲୋକଙ୍କ ସୁରକ୍ଷା ପ୍ରଶାସନର ପ୍ରାଥମିକତା ବୋଲି କହିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ ।

ଝୁଲା ପୋଲ ମରାମତି ଲାଗି ଗତକାଲି ସନ୍ଧ୍ୟାରୁ ଜାରି ହେଲାଣି ୧୪୪ ଧାରା । ୨୪ ଘଣ୍ଟା ବିତିଥିଲେ ବି ଏଯାଏଁ ଆରମ୍ଭ ହୋଇନି କାମ । ଅନ୍ୟପକ୍ଷରେ ଭକ୍ତଙ୍କ ଭାବାବେଗକୁ ଖାତିର ନକରି ପ୍ରଶାସନ କଟକଣା ଲଗାଇଥିବା ବେଳେ ତେଜିବାରେ ଲାଗିଛି ଅସନ୍ତୋଷ ।

(ରିପୋର୍ଟ- ନୀଳକଣ୍ଠ ଦୋରା ଓ କପିଳେନ୍ଦ୍ର ପ୍ରଧାନ)