• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୭ ହଜାର ୩୯ ଓଡିଶା ସିଭିଲ ସର୍ଭିସ ଆଶାୟୀ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା । ଛୋଟିଆ ତ୍ରୁଟି ପାଇଁ ଆବେଦନକୁ ନାକଚ କଲା ଓଡିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ୍‌ସି । ଦରଖାସ୍ତ ନାକଚ୍‌ର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ । ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍‌ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ତେବେ ନାକଚ୍ ଲାଗି କମିଶନ ନିଜ ୱେବସାଇଟ୍‌ରେ ଦର୍ଶାଇଥିବା କାରଣ ଗୁଡିକ ମଧ୍ୟରେ ରହିଛି; ବ୍ୟକ୍ତିଗତ ବିବରଣୀ ନଦେବା, ଠିକଣା ବିବରଣୀ ନଦେବା, ଫିଜିକାଲ ମେଜରମେଣ୍ଟ, ଶିକ୍ଷାଗତ ଯୋଗ୍ୟତା ବିବରଣୀ ନଥିବା ଓ ଆବଶ୍ୟକୀୟ ଫି ଡିପୋଜିଟ୍ ନକରିବା । କିଛି ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି ଯେ, ଚଳିତ ବର୍ଷ ଫର୍ମଫିଲଅପ୍ ବେଳେ ୱେବସାଇଟ୍‌ରେ ସାର୍ଟିଫିକେଟ୍ ଅପଲୋଡ୍ ପାଇଁ ବହୁତ ସମୟ ଲାଗୁଥିଲା, ଏଥିପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧିର ଅପେକ୍ଷା କରିବାକୁ ପଡୁଥିଲା । ତେବେ ପ୍ରଥମ ଥର ପାଇଁ ଆବେଦନ କରୁଥିବା ଆଶାୟୀ ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ।

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି । ବାହାରେ ରହି କୋଚିଂ ମଧ୍ୟ ନେଇଥାନ୍ତି । ଏଥିଲାଗି ଆଶାୟୀଙ୍କ ଦାବି ହେଲା, ପୁଣିଥରେ ସେମାନଙ୍କୁ ସୁଯୋଗ ଦିଆଯାଉ ।

ଗତ ବର୍ଷ ସିଭିଲ ସର୍ଭିସ୍‌ର ୪୦୫ ପଦ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାନୁଆରୀ ୧୦ରୁ ଫେବୃଆରୀ ୧୮ ଯାଏଁ ଆଶାୟୀମାନେ ଅନ୍‌ଲାଇନ୍ ଯୋଗେ ଆବେଦନ କରିଥିଲେ । ତେବେ ପୂର୍ବରୁ କେବଳ ଫି’ ଡିପୋଜିଟ୍‌ ହୋଇନଥିବା ଆବେଦନକାରୀଙ୍କ ଫର୍ମ ବାତିଲ ହେଉଥିବା ଘଟଣା ନଜରକୁ ଆସୁଥିବାବେଳେ ଏଥର ଏକାଧିକ ଛୋଟ ଛୋଟ କାରଣ ଲାଗି ଫର୍ମ ନାକଚ୍ ହୋଇଛି । ଓପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷଙ୍କ ମତ ଅନୁଯାୟୀ, ଆଶାୟୀ ଚାହିଁଲେ କମିଶନଙ୍କ ନିକଟରେ ସିଧାସଳଖ ଅପିଲ୍ କରିପାରିବେ ଏବଂ ଅପିଲ ସଂଖ୍ୟା ଓ ସମସ୍ୟାର ଗୁରୁତ୍ୱକୁ ବିଚାର କରି କମିଶନ ଅଧ୍ୟକ୍ଷ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇପାରିବେ ।

ଅନ୍ୟପଟେ ଏକ୍ସପର୍ଟଙ୍କ ମତରେ, ଆବେଦନ ସମୟରେ ଯଥେଷ୍ଟ ସତର୍କତାର ସହ ଆବେଦନ କରିବାର ଆବଶ୍ୟକତା ରହିଛି । ନଚେତ ଅନ୍‌ଲାଇନ୍ ସିଷ୍ଟମ ଫର୍ମକୁ ନାକଚ କରିଦେଇଥାଏ ।