• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟ କ୍ୟାବିନେଟରେ ଆଜି ୧୭ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଫଳରେ ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି ।

ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ୭ ଓ କୋଲନରା ବ୍ଲକର ୮ ପଞ୍ଚାୟତକୁ ବି ପାନୀୟ ଜଳ ପ୍ରକଳ୍ପକୁ ଅନମୋଦନ ମିଳିଛି । ସେହିପରି ପୁରୀରେ ୧୩୫ କୋଟିରେ ଧର୍ମଶାଳା ନିର୍ମାଣ ହେବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି । ବାସେଳିସାହି ଧର୍ମଶାଳା ପ୍ରକଳ୍ପକୁ କର୍ଯ୍ୟକାରୀ କରିବାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ହେବ ଧର୍ମଶାଳା ପ୍ରକଳ୍ପ । ୧୩୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଧର୍ମଶାଳା । ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ଏଥିପାଇଁ ଟେଣ୍ଡର ମିଳିଛି, ୨୪ ମାସରେ କାମ ସରିବ ।

ସେହିପରି ଆଇଟି ପଲିସିକୁ କ୍ୟାବିନେଟ ମଂଜୁରୀ ମିଳିଛି । ରାଜ୍ୟ ସରକାରଙ୍କ ଆଇଟି ପଲିସକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରାଯାଇଛି । ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା ହୋଇଛି । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କଂପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ । ଭିତ୍ତିଭୂମିରେ ସ୍ଥାୟୀ ନିବେଶର ୩୦% ଯୋଗ୍ୟ IT ସଂସ୍ଥାକୁ ରିହାତିରେ ଦିଆଯିବ ।

ଅନ୍ୟପଟେ ୪ଜିଲ୍ଲାକୁ ମନରେଗା ଅତିରିକ୍ତ ସହାୟତା ପ୍ରଦାନ କରାଯାଇଛି । ଦାଦନ ପ୍ରବଣ ୪ ଜିଲ୍ଲାର ୨୦ ବ୍ଲକକୁ ମିଳିବ ମନରେଗା ଅତିରିକ୍ତ ସହାୟତା । ମନରେଗା ଯୋଜନାରେ ରାଜ୍ୟ ସହାୟତାକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହି କ୍ରମରେ ୨୦ ବ୍ଲକର ମନରେଗା ଶ୍ରମିକଙ୍କୁ ଅତିରିକ୍ତ ମଜୁରୀ ପ୍ରଦାନ କରାଯିବ ।