• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ନିୟମିତ ହେବେ ରାଜ୍ୟର ଶିକ୍ଷା ସହାୟକ । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ଉପରେ ମୋହର ମାରିଛି କ୍ୟାବିନେଟ୍ । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

ଏହାବ୍ୟତୀତ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ । ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ ହେବ । ବିଭିନ୍ନ ସ୍ଥାନରେ ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ କରାଯିବ । ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୧୭୯୬ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି କଟକ SCBର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦିଆଯାଇଛି ।

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଦୁତ୍ତା ଗାଁ ନିକଟରେ ସାନ୍ଦୁଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ବ୍ୟାରେଜ୍ ନିର୍ମାଣ ହେଲେ ୨୯ଟି ଗାଁର ୫ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଯାଇପାରିବ। ଏହି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ତା’ପରବର୍ତ୍ତୀ ୫ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ୧କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଏହି ବ୍ୟାରେଜ୍ ନିର୍ମାଣ ହେଲେ ଯେଉଁ ସବୁ ଗାଁ ଗୁଡ଼ିକ ଉପକୃତ ହେବେ, ସେଗୁଡ଼ିକ ହେଲା- ଏକତର, କୁସୁର୍ଲା, ଜୋରଦୁବ୍ରା, ସାପଲହରା, ସିଲଟପରା, ସିଶାଖାଲ, ଲେଗେଡ଼ା, କନେରୀ, କର୍ଣ୍ଣିଖୁଣ୍ଟି, ଦଣ୍ଡିଭଞ୍ଜା, ଭୋଇରପଡ଼ା, ବିଜାପାଟି, ଯୋଗୀବଡ଼ା, ବାବିଜୋର, ଖଜୁରୀପଡ଼ା, ତୁଣ୍ଡଲା, ତାଳଭଅଁରା, ହାତିଖୋଜ, କୁଲିହାରିଗୁମ୍ପା, ସିଲେଟପଡ଼ା, ବନ୍ଧାପଡ଼ା, ରାଜପଡ଼ା, ବାଦିପଡ଼ା, ଦିଗଶିରା, ବେଲଖଣ୍ଡି, ପିପଲପଦର, ଶର୍ଯାପଲି, ଖାଇରମାଲ ଓ କେନ୍ଦୁବାହାଲି। ଏହି ସବୁ ଗାଁ ଗୁଡ଼ିକରେ ଥିବା ଜମିଗୁଡ଼ିକୁ ଜଳସେଚନ ହେବା ସହିତ ଲୋକେ ପାନୀୟ ଜଳର ସୁବିଧା ମଧ୍ୟ ପାଇବେ।