/odishatv-khabar/media/post_attachments/uploadimage/library/16_9/16_9_0/5T_School_1687881226.jpg)
5T School
୫-ଟି ସ୍କୁଲର ଉନ୍ନତିକରଣରେ ଭୟଙ୍କର ଦୁର୍ନୀତି । ଏମିତିକି ପୁରୁଣା ବିଲ୍ଡିଂରେ କେବଳ ରଙ୍ଗ ମାରି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି । ସ୍କୁଲର ରୂପାନ୍ତିକରଣ ଲାଗି ୫-ଟି ଅଧୀନରେ ଏବେ ଅନେକ ସ୍କୁଲକୁ ଅଣାଯାଇଛି । କିନ୍ତୁ ଏହି ଯୋଜନାରେ ସର୍ବାଧିକ ଟଙ୍କା ହଡପ କରାଯାଉଥିବା ଅଭିଯୋଗ କରିଛି ବିଜେପି ।
କଟକ ନରସିଂହପୁର ଓ ବଡ଼ମ୍ବାରେ ହେଉଥିବା ଫାଇଭ-ଟି ସ୍କୁଲର ଉନ୍ନତିକରଣ ନୁହେଁ ବରଂ କର୍ମୀ ଥଇଥାନ ଲାଗି ହେଉଛି ଯୋଜନା । ଏମିତିକି ବର୍ଷେ ଭିତରେ ସ୍ଥାନୀୟ ଅନନ୍ତନାରାୟଣ ଉଚ୍ଚ ବିଦ୍ୟାଳୟର ପାଚେରୀ ଦୁଇଥର ଭୁଶୁଡିଲାଣି । ସାମାନ୍ୟ ବର୍ଷା ହେଲେ ସ୍କୁଲ ଛାତରୁ ପାଣି ବି ଗଳୁଛି । ଖାଲି ଏତିକି ନୁହେଁ ବରଂ କିଛିଦିନ ପୂର୍ବରୁ ହୋଇଥିବା କାଳବୈଶାଖୀରେ କବାଟ ଉଡିଯାଇଥିବା ଦୃଶ୍ୟ ବି ସାମ୍ନାକୁ ଆସିଥିଲା । କିନ୍ତୁ ବାରମ୍ବାର ଟଙ୍କା ଖର୍ଚ୍ଚ କରି ସ୍କୁଲର ଚାଲିଥିଲା ଉନ୍ନତିକରଣ । ମୋଟ୍ ଉପରେ ଉନ୍ନତିକରଣ ନାଁରେ ନିମ୍ନମାନର କାମ କରି କେବଳ ଠିକାଦାର ମାଲେମାଲ ହେଉଥିବା ଅଭିଯୋଗ ହୋଇଛି ।
କେବଳ ସେତିକି ନୁହେଁ ନରସିଂହପୁର ବ୍ଲକ ପତଣ୍ଡା ଶଙ୍କର୍ଷଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବି ଦେଖିବାକୁ ମିଳିଥିଲା ସମାନ ଅବସ୍ଥା । ସାମାନ୍ୟ କାଳବୈଶାଖୀ ବର୍ଷାରେ ଉଡ଼ିଯାଇଥିଲା ସ୍କୁଲ ଛାତ । ଅବଶ୍ୟ ପରବର୍ତ୍ତୀ ସମୟରେ ତାକୁ ପୁନନିର୍ମାଣ କରାଯାଇଥିଲା । ଖାଲି ସେତିକି ନୁହେଁ ବରଂ ବଡମ୍ବା ଓ ନରସିଂହପୁରର ଅନେକ ସ୍କୁଲର କାମ ସରିନଥିବା ବେଳେ ବିଧାୟକ ତରବର ଭାବରେ ଉଦଘାଟନ କରିଥିବା ନେଇ ସୂଚନା ମିଳିଛି ।
ବର୍ତ୍ତମାନ 5-Tରେ ଅନେକ ସ୍କୁଲର ବିକାଶ କରାଯାଉଛି । ହେଲେ ବିକାଶ ନାଁରେ କୋଟି କୋଟି ଟଙ୍କା ହରଣଚାଲ ହେଉଥିବା ଅଭିଯୋଗ ହୋଇଛି । ସେପଟେ ପୂରା ଘଟଣାରେ ବିଡିଓ କହିଛନ୍ତି, ପ୍ରକୃତରେ ଘଟଣା କ’ଣ ହୋଇଛି ତାହାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)