• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଯାତ୍ରା,ଅର୍କେଷ୍ଟ୍ରା ଓ ଖୋଲା ମଞ୍ଚରେ ଯାତ୍ରା ପରିବେଷଣକୁ ଅନୁମତି

     

  • SRCଙ୍କ ନୂଆ ଗାଇଡଲାଇନକୁ ସ୍ୱାଗତ କେଲେ ବିଭିନ୍ନ ବର୍ଗର କଳାକାର

ଭୁବନେଶ୍ୱର: କୋଭିଡ୍ କଟକଣାରୁ ମୁକୁଳି ଝଲସିବ ଯାତ୍ରା ମଞ୍ଚ, କମ୍ପିବ ସିନେମା ହଲ ପରିସର । ସବୁ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସାଧାରଣ ଲୋକେ । ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ କ୍ରିୟାଶୀଳ କରିବାକୁ ନୂଆ ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ନିର୍ଦ୍ଦେଶନାମା ଅନୁସାରେ କୋଭିଡ୍ ପ୍ରୋଟକଲ ପାଳନ କରି ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଣିକି ଏକାଠି ହୋଇପାରିବେ ଲୋକେ ।

ବିଶେଷକରି ଯାତ୍ରା, ମେଲୋଡ଼ି, ଶାସ୍ତ୍ରୀୟ ଓ ଲୋକନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତା, ଖୋଲାମ଼ଞ୍ଚ କଳା ପ୍ରଦର୍ଶନ ଓ ପଥପ୍ରାନ୍ତ ନାଟକ ଆଦି ପରିବେଷଣ କରାଯାଇପାରିବ । ସେହିଭଳି ସିନେମା ହଲ ଓ ଇନଡୋର ହଲରେ ୫୦ ପ୍ରତିଶତ ଦର୍ଶକ ବସିବାକୁ ମଧ୍ୟ ଅନୁମତି ମିଳିଛି । ପ୍ରାୟ ୨ ବର୍ଷ ପରେ ସରକାର ଏବେ କଳାକାରଙ୍କ ମନକଥା ବୁଝି କଳା ପରିବେଷଣ ପାଇଁ ଅନୁମତି ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଭିନ୍ନ ବର୍ଗର କଳାକାର ଗୋଷ୍ଠୀ ।

 

କରୋନା ମହାମାରୀ ଆସିବା ପରଠୁ ଆଜିକୁ ପ୍ରାୟ ୨ ବର୍ଷ ଧରି ବେସାହାରା ହୋଇପଡ଼ିଛନ୍ତି କଳାକ୍ଷେତ୍ରକୁ ପେଷା କରିଥିବା ହଜାର ହଜାର କଳାକାର । ତେଣୁ ସରକାରଙ୍କ ଗାଇଡ୍ ଲାଇନ ଆସିବା ପରେ ରାଜ୍ୟର ଶହ ଶହ ଅପେରା ପାର୍ଟିର କଳାକାର, ଟେକନିସିଆନ୍, ପରିଚାଳକ ଓ ମାଲିକଙ୍କ ମୁହଁରେ ହସ ଫୁଟିଛି । କିନ୍ତୁ SRCଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସେମାନେ ଆଗକୁ ଯେ ସ୍ୱାଭାବିକ ଭାବେ କଳା ପରିବେଷଣ କରିବେ, ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ଯାତ୍ରା କିମ୍ବା ମଞ୍ଚ ଆୟୋଜନ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଆଣିବାକୁ ସର୍ତ୍ତ ରଖିଛନ୍ତି । ସେପଟେ ସହରାଞ୍ଚଳଗୁଡ଼ିକରେ ଏବେ ବି ରାତି ୧୦ଟାରୁ ଭୋର୍ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ଥିବାରୁ ରାତିରେ କେମିତି ଯାତ୍ରା ପରିବେଷଣ ହେବ ସେ ନେଇ ଆଶା ଆଶଙ୍କାରେ ରହିଛନ୍ତି ଯାତ୍ରା ପାର୍ଟି ମାଲିକ ବାପି ପଣ୍ତା ।

ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଥିଲେ ବି ସମସ୍ତ ଉତ୍ସବସ୍ଥଳ ଓ ଅନୁଷ୍ଠାନରେ ସରକାରଙ୍କ ପକ୍ଷରୁ ଲୋକଙ୍କ ପାଇଁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି ।

ରିପୋର୍ଟର- ରଶ୍ମିରଞ୍ଜନ ଦାସ, ଦେବାଶିଷ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା