Advertisment

ଓଡ଼ିଆ ଭାଷାରେ ଲେଖ....ଏ ନିୟମ କେବଳ ଖାତା କଲମରେ

ନିର୍ଦ୍ଦେଶ କୁ ମାନୁଛି କିଏ? ସବୁ ଆଡେ ଇଂରାଜୀରେ ହୋଡିଂ...ଦିନରେ ଘୁଙ୍ଗୁଡ଼ି ମାରୁଛି ପ୍ରଶାସନ

author-image
Sarbeswar
ଅଦ୍ୟତନ ହୋଇଛି
Odia signboards on shops

Odia signboards on shops

ସ୍କୁଲ, କଲେଜ୍‌...ଦୋକାନ ବଜାର...ଛକଛକ, କାନ୍ଥ ବାଡ...ଯୁଆଡେ ଦେଖିବେ ସିଆଡେ କେବଳ ଇଂରାଜୀ ଲେଖା । ଓଡିଆ ଭାଷାକୁ ସତେ ଯେମିତି ସେମାନେ ପାଶୋରି ଦେଇଛନ୍ତି । ସରକାରୀ ନିୟମ କହୁଛି ଓଡ଼ିଆ ଭାଷାରେ ସ୍କୁଲ,କଲେଜ୍‌ ଓ ଦୋକାନ ବୋର୍ଡ ରହିବାର କଥା । ହେଲେ ନିୟମକୁ ସମସ୍ତେ ଫୁ’ କରି ଉଡାଇ ଦେଇଛନ୍ତି ।

Advertisment

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ l ସରକାରଙ୍କର ନିୟମ ଅନୁସାରେ ସବୁ କାଗଜପତ୍ର, ଫଳକ, ଦୋକାନ ବଜାରରେ ଆଞ୍ଚଳିକ ଭାଷାରେ ଲେଖାଯିବାର କଥା । ହେଲେ ସେଇଠି ସବୁ ଇଂରାଜୀରେ ଲେଖାଯାଇଛି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ । ସ୍ଥିତି ଏମିତି ହେଲାଣି ଯେ ଦୋକାନ ବଜାରରେ ଓଡିଆ ସାଇନ୍‌ ବୋର୍ଡ ଖୋଜିଲେ ବି ମିଳୁନି । ପ୍ରତିବର୍ଷ ଉତ୍କଳ ଦିବସ ପୂର୍ବରୁ ସବୁ କାମ ଓଡ଼ିଆରେ କରିବାକୁ ସରକାର ଘୋଷଣା କରୁଛନ୍ତି, ଆଦେଶ ଦେଉଛନ୍ତି । ହେଲେ ସରକାରୀ ଆଦେଶ କେବଳ ଖାତା କଲମରେ ସୀମିତ ହୋଇ ରହିଯାଇଛି ବୋଲି ଅନେକ କହୁଛନ୍ତି ।

ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ହେଉଥିବା ପରେ ବି ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ବାଲେଶ୍ୱର ସୋର ବଜାରର ଦୃଶ୍ୟ ଦେଖିବା ପରେ ହିଁ ଜଣାପଡିବ । କୁହାଯାଉଛି କି, ବଡ଼ବଡ଼ କମ୍ପାନୀ ନିଜର ପ୍ରଚାରପ୍ରସାର ପାଇଁ ଇଂରାଜୀରେ ଲେଖା ହୋଡିଂ ଦେଉଛନ୍ତି ତେଣୁ ଟଙ୍କା ପାଇଁ ଦୋକାନୀ ମାନେ ବି ଇଂରାଜୀରେ ସବୁ ଲେଖୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମିତି କଲେ ଜୋରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି ହେଲେ ତାହା ବି କେବଳ ନିର୍ଦ୍ଦେଶନାମାରେ ରହିଥିବା କୁହାଯାଉଛି ।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାର ଓଡିଆ ଭାଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ତାହା ଠିକ୍‌ କିନ୍ତୁ ଯେଉଁମାନେ ସରକାରଙ୍କ ଏହି ନିୟମ ମାନୁନାହାନ୍ତି ଯଦି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏମିତି ଇଂରାଜୀରେ ଲେଖିବାକୁ ସାହସ ହେବନି ବୋଲି କହୁଛନ୍ତି ଲୋକେ । ତେବେ କାହିଁକି ଓଡ଼ିଆ ଭାଷାରେ ଲେଖାଯାଉନି ସେନେଇ କିନ୍ତୁ ପ୍ରଶାସନର ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରିନାହିଁ ।

Special Story
Advertisment
Advertisment