Advertisment

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମଲେଶ୍ୱରୀ ମନ୍ଦିର ପରିସରରେ ଜମିଲା ସ୍ୱତନ୍ତ୍ର ନୂଆଁଖାଇ ଆସର। ନୂଆଁଖାଇ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Nuakhai

Nuakhai

ଗଣପର୍ବ ନୂଆଁଖାଇ ପାଇଁ ନୂଆ ଉତ୍ସାହ, ନୂଆ ଉଦ୍ଦୀପନା। ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଆଜି ସକାଳୁ ସକାଳୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଥିଲା ନବାନ୍ନ ଲାଗିର ପବିତ୍ର ପରମ୍ପରା। ଶୁଭ ଲଗ୍ନ ସକାଳ ୯ଟା ୧୨ରୁ ୨୭ ମିନିଟ୍ ମଧ୍ୟରେ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିଲା ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ। ତା' ପରେ ଘରେ ଘରେ ନୂଆ ଖାଇଥିଲେ ସାରା ସମ୍ବଲପୁରବାସୀ।

Advertisment

ନାଚ, ଗୀତ ଓ ବାଦ୍ୟର ଆସର ଭିତରେ ନୂଆ ପୋଷାକ ପିନ୍ଧି ପରିବାରରେ ଏକାଠି ବସି ନୂଆ ଖାଇଥିଲେ ପ୍ରତ୍ୟକ ପଶ୍ଚିମ ଓଡ଼ିଶାବାସୀ। ଏହି ଅବସରରେ ଆଜି ସମଲେଶ୍ୱରୀ ମନ୍ଦିର ପରିସରରେ ଜମିଥିଲା ସ୍ୱତନ୍ତ୍ର ନୂଆଁଖାଇ ଆସର। ଏଠି ନୂଆଁଖାଇ ଉତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଆଉ କିଛି ସଦସ୍ୟ। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ଏକାଠି ବସି ନୂଆ ଖାଇଥିଲେ। ନୂଆଁଖାଇରେ ସମ୍ବଲପୁର ଆସି ସେଠାରେ ନୂଆଁ ଖାଇବାରେ ମୋହନ ମାଝୀ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ।

ଏପଟେ ବିଧି, ପରମ୍ପରା ଓ ସମୟ ନିର୍ଘଣ୍ଟ ଅନୁସାରେ ବଲାଙ୍ଗିରର ଇଷ୍ଟଦେବୀ ମାଆ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ଆରମ୍ଭ ହୋଇଥିଲା ନୂଆଁଖାଇର ମହା ଅବସର। ପରିବାରର ବଡ଼ରୁ ସାନ ଯାଏଁ ସଭିଏଁ ଏକାଠି ବସି ନୂଆ ଖାଇବାର ମୁହୂର୍ତ୍ତକୁ ଯେମିତି ଅପେକ୍ଷା କରିଥିଲେ ସମସ୍ତେ। ଏପଟେ ସବୁବର୍ଷ ଭଳି ଏ ବର୍ଷ ବି ନୂଆଁଖାଇରେ ଏକାଠି ବସି ନୂଆ ଅନ୍ନ ଭକ୍ଷଣ କରିଥିଲେ ପାଟଣାଗଡ଼ର ରାଜପରିବାର। ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ଆୟୋଜିତ ଉତ୍ସବରେ ରାଜନୈତିକ ବାଦ ବିବାଦରୁ ଉର୍ଦ୍ଧ୍ୱରେ ରହି ରାଜପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଖାଇଥିଲେ।

Advertisment

ଏ ବର୍ଷ ନୂଆଁଖାଇ ପାଇଁ ରାଜ୍ୟ ସରକାର ଆସନ୍ତାକାଲି ସୋମବାରକୁ ମଧ୍ୟ ଛୁଟି ଭାବେ ଘୋଷଣା କରିଛନ୍ତି । ୨ ଦିନ ଛୁଟି ମିଳିଥିବାରୁ ଏଥର ସାରା ପଶ୍ଚିମ ଓଡ଼ିଶାରେ ନୂଆଁଖାଇର ଖୁସି ଦ୍ୱିଗୁଣିତ ହୋଇଛି। ତାସହ ନୂଆଁଖାଇ ଭେଟଘାଟ୍ ଖୁସି ବି ବହୁଗୁଣିତ ହୋଇଛି।

Nuakhai Celebration Nuakhai Mohan Majhi
Advertisment
Advertisment