• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଡିବିରି ଆଲୁଅରେ ଭବିଷ୍ୟତ ଗଢ଼ୁଛନ୍ତି ଆଦିବାସୀ ପିଲା । ଦିନକ ପରେ ମାଟ୍ରିକ୍ ପରୀକ୍ଷା । ଦଶମ ଛାତ୍ରଛାତ୍ରୀ ଦିନରାତି ଏକ୍ କରି ପରୀକ୍ଷା ପ୍ରସ୍ତୁତିରେ ବ୍ୟସ୍ତ । ହେଲେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ଏକ ବସ୍ତିରେ ୩ ମାସ ହେଲା ବିଜୁଳି ନଥିବାରୁ, ପରୀକ୍ଷା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଅନ୍ଧାରରେ କଟାଇବାକୁ ବାଧ୍ୟ ହେଉଛନ୍ତି ସେଠାକାର ବୋର୍ଡ ପରୀକ୍ଷାର୍ଥୀ ।

ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ବି. କରୁଆବାହାଲ ପଞ୍ଚାୟତ ଅନ୍ତର୍ଗତ ଠେଲକୋଛପଲ ବସ୍ତି । ଗତବର୍ଷ ଡିସେମ୍ବରରେ ଏଠି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ, ଆଉ ତାକୁ ବଦଳାଯାଇନି କି ମରାମତି ହୋଇନି । ତେଣୁ ପ୍ରଥମ କିଛି ଦିନ ମହମବତି ଜାଳୁଥିଲେ ଲୋକେ ।

ହେଲେ ବସ୍ତିର ଗରିବ ଗୁରୁବା କେତେ ବା ମହମବତି କିଣିବେ... ଶେଷରେ ଡିବିରି ଓ ଦୀପରେ କାମ ଚଳୁଛି । ତେବେ ସବୁଠୁ ବେଶି ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । କେବଳ ଛୋଟ ପିଲା ନୁହଁନ୍ତି, ଏଠି ବହୁ ମାଟ୍ରିକ୍ ପଢ଼ୁଆ ପିଲା ବି ଅଛନ୍ତି । ମୁଣ୍ଡ ଉପରେ ମାଟ୍ରିକ୍ ପରୀକ୍ଷା ଥିବା ବେଳେ, ସେମାନେ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି, ଏହା କେବଳ ସେମାନଙ୍କୁ ଜଣା ।

୩ ମାସ ହେଲା ଜଳିନି ବିଜୁଳି ଆଲୁଅ । ବଲବ ଫ୍ୟୁଜ୍ ହୋଇନି... ଫ୍ୟୁଜ୍ ହୋଇଯାଇଛି ବ୍ୟବସ୍ଥା । କେବଳ ୨ଶହ ପରିବାର ରହୁଥିବା ସୀମାନ୍ତବର୍ତ୍ତୀ ବସ୍ତିରେ ବତି ଗୁଲ୍ ହୋଇନି, ସତେ ଯେମିତି ଗୁଲ୍ ହୋଇଯାଇଛି ପ୍ରଶାସନର କାର୍ଯ୍ୟକାରିତା । ଲୋକେ କହିଛନ୍ତି, ଟ୍ରାନ୍ସଫର୍ମର ପୋଡ଼ିବା ପରେ ଟାଟା ପାୱାର୍ କର୍ମଚାରୀ ଏହାକୁ ମରାମତି କରିବାକୁ ଚେଷ୍ଟା କରିଥିଲେ ।

ହେଲେ ତାହା ସମ୍ଭବ ନହେବାକୁ ଛାଡ଼ି ଚାଲିଗଲେ ଯେ, ସେବେଠୁ ଆଉ କାହାର ଦେଖା ଦର୍ଶନ ନାହିଁ । ଲୋକେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଦୌଡ଼ି ଦୌଡ଼ି ନୟାନ୍ତ । ସୀମା ଅଞ୍ଚଳରେ ରହୁଥିବା ଏହି ଅଞ୍ଚଳରେ ରାତି ହେଲେ ହାତୀ ପ୍ରାଦୁର୍ଭାବ ବଢ଼ୁଥିବାରୁ, ସଞ୍ଜ ନଇଁଲେ ଘର ଭିତରେ କବାଟ କିଳି ରହୁଛନ୍ତି ଆତଙ୍କିତ ଲୋକେ ।

ଲୋକଙ୍କ ଏହି ଅସୁବିଧା ଦେଖି ଟାଟା ପାୱାର ଗ୍ରୀଡ୍ ସବଷ୍ଟେସନକୁ ଯାଇ, ସେଠାରେ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିଥିଲା ଓଟିଭି ଟିମ୍ । ସେ କହିଛନ୍ତି, ବିଦ୍ୟୁତ ପୁନର୍ବାହାଲ ପାଇଁ ଅତିଶୀଘ୍ର ବ୍ୟବସ୍ଥା କରାଯିବ ଏବଂ ଯେତେ ଦିନ ଲୋକେ ବିଜୁଳି ବ୍ୟବହାର କରିନାହାନ୍ତି, ତାର ବିଲ୍ ଦେବାକୁ ପଡ଼ିବ ନାହିଁ ।

ତେବେ ଏଠି ପ୍ରଶ୍ନ ଉଠୁଛି, ବିଦ୍ୟୁତ ବିଲ୍ ନଆସିଲେ କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ? ବିଭାଗୀୟ ଉଦାସୀନତା ପାଇଁ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ଯେଉଁ କ୍ଷତି ସହିଲେ, ତାର ଭରଣା ହେବ କେମିତି ?